ତା’ ଆକାଂକ୍ଷାର ନାଁ ପଚାରନି
ତା’ ଭବିଷ୍ୟର ଠିକଣା ମାଗନି
ସେ ଏକ ଅ-ବିକଳ୍ପ ଯାତ୍ରାର
ଧାରା ବିବରଣୀ।
ଠାଣି ଚାହାଣୀରେ
ସେ ପୋଖତ ଆରୋହୀ
ଅସ୍ଥିର ସମୟର ସଜାଗ ପ୍ରହରୀ
ତା’ର ଭଳିଭଳି ସର୍ତ୍ତ
କିଛି ବିଶ୍ୱସ୍ତ ବିକର୍ଷଣ
କିଛି ବାସ୍ତବ ଆକର୍ଷଣ
ତା’ ତୂଣୀରରେ
ଆକାଶକୁ ଖୁମ୍ପି ଚାଲୁଥିବା
ଅସଂଖ୍ୟ ଲକ୍ଷ୍ୟଭେଦୀ ତୀର
ତା’ କାରାଗାରେ ଅବରୁଦ୍ଧ
ବିବଶ ଶୂନ୍ୟତା,
ବାଂଛିତ ମନୋବୃତ୍ତି
ସେ ଅନାଦି ଯୁଗର।
ପରିସ୍ଥିତି ସଜାଇଛି ନିଜ ପସନ୍ଦରେ
ସିଇଁଛି ଯୋଡା ଯୋଡା ଡେଣା
କଅଁଳ ମନରେ
କଳ୍ପନାକୁ ଦେଇପାରେ ଆକାଶେ ଉଡାଣ
ନିଜେ ଟାଣେ ନିଜ ଭାଗ୍ୟରେଖା
ଗଢିପାରେ ନିଜ ସିଂହାସନ
ଏକ ପୃଥକ ପୃଥିବୀର ସେ ପ୍ରାଣବନ୍ତ ସ୍ୱପ୍ନ
ନିର୍ମୋହ ପାର୍ବଣ
ନିଜ ପାଇଁ ନିଜେ ଇ ଆହ୍ୱାନ।
ସିଂହାସନ ନିଷ୍କପଟ
ସେ ନିଛଳ ସମ୍ରାଟ
ଅନାବୃତ ବର୍ତ୍ତମାନର
ସେ ଅଜେୟ ପ୍ରୟାସ
ଅଭିଜ୍ଞ ସିଦ୍ଧାର୍ଥ
—————
© ® Rashmi Mohapatra