ତୁମକୁ ଯାହା ଅଦୃଶ୍ୟ

ଶୁଣାଯାଉଛି ଆକୁଳ ଚିତ୍କାର

ତୁମ ନିର୍ଜୀବ ଦେଶରେ

କିଏ ବୋଧହୁଏ ଖୋଦୁଛି ପଥରରୁ

ଆଖି କାନ ଓଠ,

ଶୀରା ଓ ଧମନୀ,

ଧ୍ୱନି କେଉଁଠୁ ଉତ୍ପନ୍ନ ହେଉଛି

ଜଗତ ତ ନିଘୋଡ ନିଦରେ

ବହୁଦିନତଳୁ ତାଲା ପଡିଛି

ସମ୍ପର୍କ ସେତୁରେ

ତୁମ ବେଢାରେ

ଅନେକ ରକମର କାର୍ଯ୍ୟକ୍ରମ

ଭୋକମାନେ ଖୁମ୍ପୁଛନ୍ତି ଚଟ୍ଚାଣ

ଦୀପମାନେ ଜାଳୁଛନ୍ତି ଦୁଃଖ,

ଘିଅ ବତୀ କଥାବାର୍ତ୍ତା ହେଉଛନ୍ତି

କିଏ କଣ ମନାସିଛି,

ଦଶ ଦିଗରେ ଘୁମୁରୁଛନ୍ତି

ଅଭାବର ଭାବ,

ଏବଂ ଯନ୍ତ୍ରଣା ବିଭୋର

ପତିତପାବନ ବାନା ଚିରୁଛି

ନିଜକୁ ପବନ ଖଣ୍ଡାରେ

ତୁମ ସାମ୍ରାଜ୍ୟରେ

ବୁଲାକୁକୁରମାନେ

ଅଳିଆ ଗଦା ରାମ୍ପୁଛନ୍ତି

ଫୁଲ ଫୁଟୁନି ମହୁମାଛି ପାଇଁ,

ଅଲେଖା କାଗଜ ତା’ ଛାତିରେ

କିଛି ବିବଶତା ଗାରଉଛି,

ଚିହ୍ନଉଛି ଅସଂପୂର୍ଣ୍ଣ ଭୃଣକୁ

ସୀତା

ଦ୍ରୌପଦୀ

ଅହଲ୍ୟା ମାନଂକୁ

ପେନ୍ କୁ ମାଡିଲେ ଚାଲୁଛି

ଅସମର୍ଥ ନିବ୍ ଅଟକିଯାଉଛି

ନିଷ୍ପତ୍ତିରେ

ହସ୍ତାକ୍ଷର ଦେବାବେଳେ,

ବଂକା ଚାଲୁଛି ନ୍ୟାୟର ଗଳିରେ

ଆଲୁଅ ଅପେକ୍ଷାରେ ଶ୍ୱାସରୁଦ୍ଧ

ଅନ୍ଧାରର ଖୁଣ୍ଟରେ ଚଢୁଥିବା

ମଣିଷ ଆକୃତିର ଜୀବ ଏବଂ

ତା’ ନିଶ୍ଚିହ୍ନ ହୋଇଆସୁଥିବା ଛାଇ,

ରାତି ଆକାଶର ଲମ୍ବା ଓସାର

ମାପୁଛି ବାଚହୁଡା ପକ୍ଷୀ

ପ୍ରଳୟ ପୟୋଧିରେ ବିସର୍ଜିତା ପୃଥିବୀ

ନିଃଶ୍ୱାସୁଛି ଓଁକାର

ପ୍ରତିବାଦର ଦିନ ଲମ୍ବାଧାଡିରେ

ଆଗେଇ ଆସୁଛନ୍ତି

ତୁମ ନିସ୍ପନ୍ଦ ପ୍ରାସାଦଆଡେ।

© Rashmi Mohapatra

ନିଦର ଅନ୍ୟନାମ

ମୁଁ ଶୋଇଥିଲା ବେଳେ

ଫୁଲ ପାଖୁଡା ମେଲାଏ

ପାଚିଲା ପତ୍ର ଓ ଫଳ ଝଡେ

ଈଶ୍ୱର ନିରେଖୁଥା’ନ୍ତି

ମର୍ତ୍ତ୍ୟ ସ୍ୱର୍ଗ ପାତାଳର ହାଲ୍ ଚାଲ୍

କୋଠରୀ ଭିତରେ ବାହାରେ

ଅନ୍ଧାରକୁ ତଡୁଥାଏ ଆଲୁଅ

ଆଲୁଅକୁ ଅନ୍ଧାର

ରାଜା ଗାଦି ଛାଡେ

ମୁକୁଟ ଖୋଜୁଥାଏ ମଥା

ଅମାବାସ୍ୟା ଜହ୍ନ ଆଲୁଅରେ

ନଈପଠାରେ ଲମ୍ବା ଭୂତ ହାବୁଡରେ

ଅନେକେ ପଡନ୍ତି

ବୁଦା ମୁଳରୁ ଖସ୍ ଖସ୍ ଶବ୍ଦ

ସାପ କାତି ଛାଡୁଥାଏ

ନିରାପଦ କାନ୍ଥ ସନ୍ଧିରେ

ସମ୍ବାଳୁଆ ଘର ତିଆରୁଥାଏ

ମୁଁ ନିଦରେ କଡଲେଉଟାଉଥିବା ବେଳେ

ଦୁର୍ଘଟଣା ଘଟେ ଗେଟ୍ ଆଗରେ

ଆରମ୍ଭରୁ ଶେଷ ମଝିରେ ଥିବା

ବ୍ୟବଧାନ ଅତିକ୍ରମ କରୁଥିବା ସମୟରେ

ଖୁଣ୍ଟରୁ ଝିଟିପିଟି ଖସେ

ଅଧାରୁ ଅଧିକ ଅକ୍ଷର ହରାଇଥିବା

ମୋ ନାଁ ଫଳକର ଠିକ୍ ଉପରେ

ଗଳି ପଡନ୍ତି

ଶେଷ କେତୋଟି ଅକ୍ଷର

ତା’ପରେ ନାହିଁ ନ ଥିବା ଧାଁ ଦଉଡ

ଅର୍ଦ୍ଧମୃତ ଅକ୍ଷର ମାନଂକର

ବଂଚିବାର ଅପରିଚିତ ରାସ୍ତାରେ,

ଝିଟିପିଟି ଫେରାର୍

ଦୁର୍ଘଟଣାର ରହସ୍ୟମୟ କାରଣ ମାନେ

ଅବଶ୍ୟ ଉଇ ମଶା ଇତ୍ୟାଦି

ସେଇଠି କେଉଁଠି ଲୁଚିଥା’ନ୍ତି

ଧରାପଡିଯିବାକୁ କିଏ ନ ଡରେ?

ଦୁର୍ଘଟଣା ପରେ ରାସ୍ତା ଫାଳ ଫାଳ

ଭୂଇଁତଳ ସୁଡଂଗ ଖେଲାମେଲା

ନିର୍ମମ ଗୋପନୀୟତାର ନଗ୍ନ ଆବିର୍ଭାବ

ଚଳତ୍ ଶକ୍ତି ହଠାତ୍ ଗାଏବ କିଛି ସାମର୍ଥ୍ୟଂକର

ଉପର ମୁଣ୍ଡରେ ବର୍ଷା ଲଗାତାର

ଖବରରେ ବଢି

ଘର ବୁଡି ପାଣି ଅଣ୍ଟେ

କବାଟ ବାଡାନ୍ତି ଅଦେଖା ସ୍ୱପ୍ନର ଚରିତ୍ରମାନେ

ଆଖି ମଳି ଉଠିପଡେ ମୋ ଛାଇ

ନିଦରେ ଚାଲୁଥାଏ କୋଶ କୋଶ ବାଟ ଅବାଟ ଭାଂଗୁନଥିବା ନିଦରେ ଦୃଶ୍ୟମାନେ ଝାପ୍ସା

ଖାପଛଡା

ସ୍ମାରକ ବିରୂପ

ଅତୀତର ଚିହ୍ନ ନିଶ୍ଚିହ୍ନ ହେବାରେ

ଅବା କେତେ କ୍ଷଣ!

ଜନ୍ମ ଠାରୁ ମୃତ୍ୟୁ

ମଝି ବାଟସାରା କେବଳ ଦୁର୍ଘଟଣାର ବିକଟ ଶବ୍ଦ

ଅଣାୟତ୍ତ ସମୟର ଘର୍ଘର ରାବ

ତେବେ ବି ମୋ ନିଘୋଡ ନିଦ ଭାଂଗେନି।

———-

Copyright@Rashmi Mohapatra

ଅକ୍ଷରଂକ ଖେଳ

ଦ୍ୱାର ଧୀରେ ଖୋଲେ

ମୁଠେ କଅଁଳ ଅକ୍ଷରଂକ କରାଘାତରେ

ଆରପଟେ ଅପେକ୍ଷା କରିବାକୁ ହୁଏ

ଖୋଲିବା ପୂର୍ବରୁ ସେମାନେ ଫେରିଗଲେ

ଅଗଢା ରହିଯାଏ ଶବ୍ଦ

ବାକ୍ୟ

ମୁଖବନ୍ଧ ବି ଅସମାପ୍ତ,

ଶବ୍ଦଂକ ପଘାରେ

ଚପାକଷ ବାନ୍ଧିବାକୁ ପଡେ

ଅକ୍ଷରଂକ ଯୁ

ନଚେତ ପୃଥିବୀ କମ୍ପିବ

ଯେବେ ତିଳେ ହଲିଯିବେ

ପରମାଣୁଠାରୁ ଜବର

ନିରିହ ଅକ୍ଷର,

ଶବ୍ଦଂକୁ ମନେଇ

ଗଢାହୁଏ ଆକାଶ ପବନ

ଅତୀତ ବର୍ତ୍ତମାନ

ଛୁଟେ ଅନ୍ଧାରରୁ ଆଲୁଅର ଧାର

ଗୋଲାପ କଣ୍ଟାରୁ ଅତର

ଅଲିଭା କାଳି ଲେଖନ୍ତି ଥାକ ଥାକ ବହି

ଭରିଯାଏ ସାରା ସହରର କାନ୍ଥ,

ମନୁଆ ମନର ଅଲେଖା ସିଲଟ,

ଜଣାଥାଏ ତା’କୁ

କେତେ ନିରାପଦ ଉଚ୍ଛନ୍ନ ଅକ୍ଷର

ଶବ୍ଦଘର କେତେ ଦୋଳାୟିତ

କେତେକାଳ ପରେ ହୁଏ ବୀଜ ଅଂକୁରିତ

ଉଚ୍ଚାରିତ ଶବ୍ଦ ଯେ ପ୍ରତି ପ୍ରଶ୍ନର ଉତ୍ତର

ଭାବ ନିୟନ୍ତ୍ରକ;

ତେବେ ବି

କଥାରୁ ଲଥା କାଢିବାରେ ବ୍ୟସ୍ତ ଥାଏ

ନିଷ୍କର୍ମା ମଣିଷ

କ୍ଷତାକ୍ତ କରୁଥାଏ

ନିରପେକ୍ଷ ବାକ୍ୟଂକ ଶରୀର

କମା ହାଇଫେନ୍ ଲିଭେଇ

ଖୋଜୁଥାଏ ଅର୍ଥରୁ କଦର୍ଥ,

ପ୍ରହେଳିକାର ସମାଧାନ ପୋଛିଦିଏ

କଳାପଟାର ନିଷ୍କପଟ ଛାତିରୁ

ହାତମୁଠାରେ ବନ୍ଦୀକରେ

ସମସ୍ତ ସୂତ୍ର, କୌଶଳ ଓ ସର୍ତ୍ତ

ସାବ୍ୟସ୍ତ କରିଚାଲେ

ନିରଂକୁଶ ଶାସକ ଏକମାତ୍ର

ସେ ଶବ୍ଦ ବ୍ରହ୍ମାଣ୍ଡର,

ତା’ ଇଂଗିତରେ

ଶୂନ୍ୟ ଶବ୍ଦଘର

ଉଦ୍ଦେଶ୍ୟ ସାଧନ ପରେ

ସେ ନୁହେଁ କାହାର,

ଚଲାଖ ମଣିଷ ଅଲକ୍ଷ୍ୟରେ

ତା’ ଯୋଗ୍ୟ

ଭଳି ଭଳି ବିଶେଷଣ

ଗଢୁଥା’ନ୍ତି ଚତୁର ଅକ୍ଷର!!

Copyright@Rashmi Mohapatra

The forsaken

Her remains never remained
Fire engulfed trust and truth
Ashes smelled fishy
Did you hear her scream Mother?
Which heaven do you live in?
What is your address?
Who converted the flower to a stone?

Why is she so helpless?
She is not accepted at her own door,
Why has she to embrace embarrassment
Do you remember her?

How could you forget your part?
Your touch had enlivened her
Your lullaby put her to sleep
Your chest’s nectar delivered life into her
Was your plan so faulty
Or you as helpless as she is?

The night never ends
It’s getting dark and darker
To breathe not enough air,
The sky mocks at the candle light march
Humanity walking the path of disbelief and despair.

The thrill of celebration was over at once
Grief wrote her story,
The vultures tickled her innocence
Shamed and named was she
Shattered and scattered was her territory.

Far away, yet where she rests
Countless shadows like her
Ready to strike
Their very pertinent question
Can you answer
What are the terms and conditions of justice,
At your court are you able to deliver ?

© Rashmi Mohapatra

ଅ-ମଣିଷ

ଯଦି ବଳୁଆ ମାଟିରେ

ପୋତା ହୋଇଥିବା ମଂଜି

ପାଣି ପବନ ଖରା

ଯେତେ ଅଜାଡିଲେ ଆଖି ଖୋଲେନି,

ଆଉ ଏକ ଫୁଲ ଫୁଟିବା ଆଗରୁ

ବାଲ୍କୋନିର କୁଣ୍ଡ ବିଦ୍ରୋହ କରେ….

ପ୍ରଶ୍ନ ପରେ ପ୍ରଶ୍ନ କରି

ସମୟ ଥକେନି,

ଅସ୍ଥିର ପବନ ,

ପାଣି ,ନିଆଁ , ଆକାଶ ଏବଂ

ଅନିୟନ୍ତ୍ରିତ ସମୟର କୋଳରେ

ଆଶ୍ରୟ ଲୋଡିବା

କେତେ ଯଥାର୍ଥ

ଜୀବନ ଖୋଜୁଥାଏ ଉତ୍ତର,

ଫିକା ଆକାଶରେ ଦି’ଟା ଗୁଡି ଟଣାଟଣି

ଜଣେ କଟିଲେ ଆରକ ଉଡିବ

ବାଜରାର ଶେଷ ଦାନାଟି ପାଇଁ

ଦୁଇ ଘରଚଟିଆଂକ ଅସମ୍ଭାଳ ଭିଡାଭିଡି

ଆସନ୍ତା କାଲିର କୋଟା ଆଜି କେମିତି ମିଳିବ,

ପ୍ରଶ୍ନ ଓ ଉତ୍ତରଂକ ଜଂଜାଳରେ

ପୁଣି ଆସେ ସଂଜବେଳ

ତା’ ସବୁଦିନିଆ ଉଦାସ ମେକ୍ ଅପ୍ ରେ,

ବିଶେଷ କିଛି ବଦଳି ନଥାଏ

ମୋ ନିକଟରେ

ଏମିତି କିଛି ମଞ୍ଜୁର ହୋଇଥିବା

ବରଦାନ ନାହିଁ ଯେ ହରାଇବା ପରେ

ପରିଚୟ ବିହୀନ

ଧୂସର ହୋଇଯାଇପାରେ ମୁଁ!

ରାସ୍ତା ଚାଲିଛି ତା’ ବାଟରେ

ମୁଁ ଯାହା ଅଟକି ଯାଇଛି

ନିଜକୁ ବୁଝେଇ ନୟାନ୍ତ

ଯାହା ଘଟିଁଛି ଭଲ

ଯାହା ନ ଘଟିଛି  ତା ବି ଭଲ

ମାନିଲେ ତ ମନୁଆ ମନ

ଯେ ଖାଲି ପାଦରେ ବାଟ ଚାଲିଲେ

କଣ୍ଟା ପଶେ,

ଯିଏ ଅନ୍ଧାରଠାରୁ ଡରେ

ମଧ୍ୟରାତ୍ରିରେ ଗୋଲାପ ସନ୍ଧାନରେ

ଅଣ୍ଚାଭିଡିବ କେମିତି?

ବରଂ

ରଫ୍ ଖାତାର ଛାତିରେ

ଛକ ଶୂନ ଖେଳି ଖେଳି

ଓସ୍ତାଦ ଖେଳାଳୀ ହେବା ମୋ ପକ୍ଷରେ

କିଛି ଅପ୍ରାସଂଗିକ ନୁହେଁ,

ମଣିଷ ବେଶରେ

କ’ଣ ମୁଁ ସତରେ ମଣିଷ?

———————

© ® Rashmi Mohapatra

ଆଶ୍ୱିନର ବର୍ଷା


ଆଜି ପୁଣି ମେଘ ସରସର
କ୍ଳାନ୍ତ ସକାଳ
ଶାଣଦିଆ ପବନର
ହାଡ ମାଂସ ଟିକ୍ ଟିକ୍ କାଟିପାରୁଥିବା ଧାର
ଆକାଶରେ ରୀତିମତ ଯୁଦ୍ଧର ହୁଂକାର
ଝର୍କା କାଚରେ ପାଣି ବୁନ୍ଦାଂକର ଖେଳ
ଏକ ଆରକୁ ଟପିବାର ଭୟଂକର ଆଳ

ଆଶ୍ୱିନ-ଆଶାର ତୀବ୍ର ବିଡମ୍ବନା
ଶିର୍ ଶିର୍ ଛୁଇଁଦେଇ ନିଗିଡିଯିବାର ବାହାନା
ଆର୍ଦ୍ରତାରୁ କିଛି ଛାଡିଯିବାର କୌଶଳ
ଝରୁ ଝରୁ ନିଃଶେଷ ହେବାର ଚମତ୍କାର ଛଳ
ଖରା ବର୍ଷାର ସାନିଧ୍ୟ ଲୋଡୁଥିବା
ଇନ୍ଦ୍ରଧନୁର ଶୀର୍ଣ୍ଣ ଆୟୁଷ୍କାଳ,

ପାହାଡ ଭାଂଗିପଡିବାର ବିକଟାଳ ଶବ୍ଦ
ଭୂଇଁ ଫାଟିବାର କଟକଟ ଆବାଜ
ବିଦ୍ରୋହ ତମାମ୍ ସହରରେ ବାଟ ଅବାଟରେ
ଶ୍ୱାସକ୍ରିୟାରେ ହୃଦ୍ ଯନ୍ତ୍ରରେ
ଭାବ ଅଭାବରେ

ତଥାପି ବର୍ଷାର ମାୟାରେ
ସଜାଡୁଥାଏ
ଦୁଇ ଫାଳ ଓଠ ମଝିରେ ଧାରେ ହସ
ଦରଆଉଜା ଝର୍କା
ମେଘ ମହଲରୁ ଖସିଆସି
ପାକଳ ଆକାଶର ତାରାମାନେ
ଅନ୍ଧାରକୁ ଅନେଇ ଥାଆନ୍ତି ଜୁଳୁଜୁଳୁ
ଅନେକ କାମନାର ମଲ୍ଲୀଫୁଲ
ବାସ୍ନା ଗୋଟାଉଥାଏ ଗହୀର ପାଟରେ
କାଶତଣ୍ଡୀ ଛମ ଛମ ନାଚୁଥାଏ ବରଷା ତାଳରେ
ଜୟଯାତ୍ରା ଜାରିଥାଏ ଋତୁ ଅଋତୁର!

© ® Rashmi Mohapatra

ଶବ୍ଦ ନ ଥିଲା ବେଳେ

ତୁମେ କେଉଁ ପାହାଚରେ?

ମୁଁ ତ ପହଁଚୁଛି ପ୍ରାୟ

ଅଟକି ନଥିବା ବୟସର

ଏଡେ ଆୟୋଜନ

ବେଂଚ୍ ପକେଇ ସାରିଛି ଧୂଷର ଅତୀତ

ଧୂଳି ପୋଛିଦେବ ଚଇତି ବାଆ

ବର୍ଷା ଟେକି ଧରିବ ଛତା

ଖରା ମଧ୍ୟ ରାଜି ସମ୍ଭାଳିବ ତାତି

ଅକୁହା କଥା ଗଳା ସଫା କରୁଥିବେ

ମୋର କିଛି ନାଟକୀୟ ଶବ୍ଦ ଲୋଡା

ବାସ୍ତବତାଠାରୁ ଦୂରକୁ ନେଇଯାଉଥିବ

ପରିବର୍ତ୍ତିତ ସମୟର ପ୍ରତିଶ୍ରୁତି ଦେଇପାରୁଥିବ

ମୋ ଅନ୍ଧାରପଣକୁ ଲୁଚାଇ ପାରୁଥିବ

ଧାର୍ ମାଗୁଛି

ଆଣୁଛ ତ!

ସୁଧ ମୂଳ ପରିଶୋଧ କରିଦେବି

କଥା ଲଥା ସରିବନି

ଓଠର ସିଲେଇ ଫିଟିଯାଇଛି

ଲୁହ ଝରିବନି

ସମୟର ଆଖି ପିଇ ଦେଇଛି

ହାତଲେଖା ଚିଠିତକ ଉଡିପାରିବନି

ଆକାଶ ଛାତିରେ ଲାଖି ରହିଛି

ସେଇ ଆଦିମ ଛତା ତଳେ ବସିବା

ୟା ପରେ କେଉଁଠି ଭେଟିବା

ସରଳରେଖାରେ ନା ବୃତ୍ତର ପରିଧୀରେ

ନା ତ୍ରିଭୂଜ କୋଣରେ

ଆମେ କ’ଣ ଲେଖିପାରିବା

ଛତାର ଆତ୍ମକାହାଣୀ

ଛତାର ସହସ୍ର କଣା

ଭଂଗା ବେଣ୍ଟ ବିଷୟରେ

ସବିସ୍ତୃତ,

ଶୁଖିଲା କାଳି ଦୁଆତ

ଭଂଗା ନିବ୍ ର ସହଯୋଗରେ?

ମୁଁ ଚଷମା ସମ୍ଭାଳୁଥିବି

ତୁମେ ହାତ ଘଡିକୁ ବାରମ୍ବାର ଦେଖୁଥିବ

ଆଜି ଆମେ କେତେ ଅଲଗା ପରସ୍ପରଠାରୁ

ପୁଣି କେତେ ଏକାପରି

ଆଜି ଆମେ ଦୁହେଁ ଯିବାକୁ ତତ୍ପର,

ତୁମେ ପୁଅକୁ ସ୍କୁଲରୁ ଆଣିବ

ମୋର ଅଫିସ୍ ରେ ମିଟିଂ|

© ® Rashmi Mohapatra

ବେଂଗ

ନିକଟରେ କଂକି ମାଳ ମାଳ
ମୋ ଜିଭରେ ଅଠା ବି ନାହିଁ
ଅଠା ଥିଲେ ବି ଫାଇଦା ନାହିଁ
ମୋ ଠାରୁ କିଛି ଦୂରରେ ସାପ
ସନ୍ତର୍ପଣରେ ବଢୁଛି

ମଣିଷର ଛଦ୍ମବେଶୀ ଇଚ୍ଛା
ମୁଁ ରୋକିପାରିବିନି
ପରିଚିତ ଅବା ଅପରିଚିତ
ଇଚ୍ଛାଂକ ଆଡକୁ ମୋ ରାସ୍ତା ଲମ୍ବିଛି
ମୋର ସାକ୍ଷୀ ହେବାକୁ
କେବଳ ମୁଁ ସମର୍ଥ

ମୋ ଦେହ ଭିତରେ ଗୋଟେ ମୃତ ଆତ୍ମା
ଦେହର ରଂଗ ଅନ୍ଧାର
ଅନ୍ଧାରରେ ଘଟେ ନ ଘଟିବା କଥା
ଥରେ ପଶିଗଲେ
ଆଲୁଅ ହରାନ୍ତି ଆଖିରୁ ସେମାନେ

ଚାରିକଡେ ମୋ ଜଳିବାର ଗନ୍ଧ
ମୃତ୍ୟୁ ତ ଧାଉଁଛି ପଛରେ
ମୁଁ ନିଆଁରେ ଲୁଚାଉଛି ମୋତେ
କାଳେ ନିଆଁର ଭାରି ଭୋକ!

ସବୁଠାରେ ମହୋତ୍ସବର ଧ୍ୱନି
ମୋ ଉପରେ ହେଉଥିବା ଉତ୍ପାତରେ
ମୋ ମୃତ୍ୟୁରେ
ଶବ ଭୋଜିର ମହକରେ
ଈଶ୍ୱର ଆସିବେ ନା କ’ଣ

ସେ’ତ ମୁଣ୍ଡ ପୋତି ବସିଥିଲେ
ମଳିନ ମେଢରେ।

© ® Rashmi Mohapatra


ବନ୍ଦୀଘର


ଜାରି ରହିଛି ଏକ ରହସ୍ୟମୟ ଯୁଦ୍ଧ
ଅନିଶ୍ଚିତତାର ଧୂଆଁରେ ଆଚ୍ଛନ୍ନ ଆକାଶ
ପୃଥିବୀର ଆବର୍ତ୍ତନ ନାମକୁ ମାତ୍ର
ମୋ’ ଗତିବାନ ଅବସ୍ଥିତି ଶିଥିଳ
ମୋର ଦ୍ୱିତୀୟ ମହଲା ଆପାର୍ଟମେଣ୍ଟରେ,
ଦୟାଳୁ ସମୟ ପୋଷିଛି ମୋତେ
ବିଷାଦର ଶେଜରେ ନିଦରେ
ଅଟକି ଯାଇଛି ମୁଁ
ଉଜାଗର ଅନ୍ଧାରର ନିବିଡ ଆଲିଂଗନରେ
ହାତ ଓ ପାଦରେ ବେଡି,

ଝର୍କା ଖୋଲେ ସିଧା
କୃଷ୍ଣଚୂଡାର ମନମତାଣିଆ ରଂଗର ଆମନ୍ତ୍ରଣ ଓ
ଲଗାତାର ବର୍ଷାର ଅସହାୟତା ଆଡେ,
ବ୍ୟବଧାନ ଏତେ ବେଶୀ ନୁହେଁ
ମଝିରେ ବିଚାରାଧୀନ ଶୂନ୍ୟ ସ୍ଥାନ
ସେଠି ଗୋଟେ ନଥିବାପଣର କମ୍ପନ
ସେ କମ୍ପନର ତୀବ୍ରତା
ମୋ ଚପଳ ଆତ୍ମାକୁ ବାରମ୍ବାର ଫେରାଇ ଦିଏ
ମୋ ସ୍ଥାବରପଣକୁ,

ମୋ ଝରକା ସାମ୍ନାରେ ଯାହା ଅଛି
ତାହା ବ୍ୟତୀତ ମୁଁ ଅନ୍ୟକିଛି ଦେଖିପାରେନି
ଦିନକୁ ମାତ୍ର କିଛି ମିନିଟ୍ ପାଇଁ
ସେଠାରେ କ’ଣ ଘଟୁଛି
ଭୁଲିଯିବାକୁ ଅନୁମତି ଦିଏ
ମୋ’ ପକ୍ଷୀ ଫିଡର୍
ସେମାନେ ଆସନ୍ତି ମୋ ବେଳ ଅବେଳରେ
ବାଜରା ଦାନାରେ ଥଣ୍ଟ ଖେଳୁଥାଏ ଭୋକ-ଭୋକ
ଗ୍ରିଲ୍ ଭିତରୁ ମୁଁ ମୁଣ୍ଡ ଉଠାଏ
ହଲଚଲପଣକୁ ସାବ୍ୟସ୍ତ କରୁଥାଏ
ଫରକ୍ ପଡେନି ମୋ ଜିଅନ୍ତାଗିରି ସେମାନଂକୁ
ମୋ ପାଳିତ ମନ୍ଦାର ପତ୍ର ଖୁମ୍ପି ଛିଣ୍ଡାନ୍ତି
ମୋତେ ଛିଗୁଲେଇ ଫୁର୍ର ଉଡିଯା’ନ୍ତି
ସେମାନେ ବି ଜାଣନ୍ତି
ମୋର ଡେଣା ନାହିଁ
ମୋ ଆସ୍ପର୍ଦ୍ଧାର ଘେରାରେ ମୁଁ ବନ୍ଦୀ।

ଯୁଦ୍ଧ ଜାରି ଥାଏ ପୃଥିବୀରେ
ଏବଂ ମାତ୍ର ଯୋଡେ ଡେଣା ପାଇଁ
ମୋ କାକୁତି ମିନତି ।


© ® Rashmi Mohapatra

ଆଗନ୍ତୁକ


ହ୍ୱିଲ୍ ଚେୟାର୍ ରେ
ନିସ୍ତେଜ ବସିଯାଇଥିଲେ
ବୟସୋତ୍ତୀର୍ଣ୍ଣ କ୍ଲାନ୍ତ ଯେତେକ
ଠେଲିବାକୁ ପଡୁଥିଲା ପଛରୁ,
ରାତିକୁ ଡରେଇବାକୁ
ବାଦୁଡି ହୋଇ ଲାଖିଥିଲେ କିଛି
ଝୁଲୁଥିଲେ ପିଜୁଳି ଗଛରୁ,
କାନ୍ଥର ଆତ୍ମାରେ
ଟାଣପଣ ଜାହିର୍ କରୁଥିଲେ ଅନେକ
ଟେବୁଲ୍ ର ସମସ୍ତ ସାଜସଜ୍ଜା ହଲଉଥିଲେ
ସହିପାରୁନଥିବା ପବନରେ,
କେତେକ ମେଘର
ଅଦିନ ସୁଆଂଗରେ ଭଳିଲେନି,
ଅନ୍ୟମାନେ ଖଣ୍ଡ ଖଣ୍ଡ ହୋଇଗଲେ
ପ୍ରେମର ବିସ୍ଫୋଟନରେ।

ତୃଷ୍ଣା ଜର୍ଜରିତ ଭାବନା ମାନେ
ଗଳ୍ପ କବିତାର ଗହଳିରେ
ଭେଟିଥିଲେ ପରସ୍ପରକୁ,
ନିଜ ନିଜ କଳା କୌଶଳରେ
କିଏ କେତେ ପାରଂଗମ
ଶବ୍ଦଗୁଡ଼ିକ ଭିତରେ ଜିଦ୍ଦିବାଦିରେ
ବାଣ୍ଟି ହୋଇ ଯାଇଥିଲେ।

ମୁଁ ଆବୁଡା ଖାବୁଡା ହୃଦୟକୁ
ଭରୁଥିଲି ଗଦା ଗଦା ସ୍ମୃତି ପାଉଁଶରେ
ମନବଗିଚାର କଣ୍ଚାବାଡରୁ
ବଢିଯାଇଥିବା ଡାଳପତ୍ର
ହାଣିବାରେ ଲାଗିପଡିଥିଲି
ରାସ୍ତା ସଫା କରିବା
ନିହାତି ଜରୁରୀ ଅନୁଭବ ହେଲା
ବେଳ ଅବେଳର ଆଗନ୍ତୁକଂକ
ଚର୍ଚ୍ଚାରେ ଯେପରି ହେଳା ନହୁଏ
ସେମାନଂକର ଆସିବାର ଥିଲା
ଅବଶ୍ୟ ଯେ ଯାହାର ସମୟରେ।


©ରଶ୍ମି ମହାପାତ୍ର

Design a site like this with WordPress.com
Get started