ବେଂଗ

ନିକଟରେ କଂକି ମାଳ ମାଳ
ମୋ ଜିଭରେ ଅଠା ବି ନାହିଁ
ଅଠା ଥିଲେ ବି ଫାଇଦା ନାହିଁ
ମୋ ଠାରୁ କିଛି ଦୂରରେ ସାପ
ସନ୍ତର୍ପଣରେ ବଢୁଛି

ମଣିଷର ଛଦ୍ମବେଶୀ ଇଚ୍ଛା
ମୁଁ ରୋକିପାରିବିନି
ପରିଚିତ ଅବା ଅପରିଚିତ
ଇଚ୍ଛାଂକ ଆଡକୁ ମୋ ରାସ୍ତା ଲମ୍ବିଛି
ମୋର ସାକ୍ଷୀ ହେବାକୁ
କେବଳ ମୁଁ ସମର୍ଥ

ମୋ ଦେହ ଭିତରେ ଗୋଟେ ମୃତ ଆତ୍ମା
ଦେହର ରଂଗ ଅନ୍ଧାର
ଅନ୍ଧାରରେ ଘଟେ ନ ଘଟିବା କଥା
ଥରେ ପଶିଗଲେ
ଆଲୁଅ ହରାନ୍ତି ଆଖିରୁ ସେମାନେ

ଚାରିକଡେ ମୋ ଜଳିବାର ଗନ୍ଧ
ମୃତ୍ୟୁ ତ ଧାଉଁଛି ପଛରେ
ମୁଁ ନିଆଁରେ ଲୁଚାଉଛି ମୋତେ
କାଳେ ନିଆଁର ଭାରି ଭୋକ!

ସବୁଠାରେ ମହୋତ୍ସବର ଧ୍ୱନି
ମୋ ଉପରେ ହେଉଥିବା ଉତ୍ପାତରେ
ମୋ ମୃତ୍ୟୁରେ
ଶବ ଭୋଜିର ମହକରେ
ଈଶ୍ୱର ଆସିବେ ନା କ’ଣ

ସେ’ତ ମୁଣ୍ଡ ପୋତି ବସିଥିଲେ
ମଳିନ ମେଢରେ।

© ® Rashmi Mohapatra


Leave a comment

Design a site like this with WordPress.com
Get started