ହ୍ୱିଲ୍ ଚେୟାର୍ ରେ
ନିସ୍ତେଜ ବସିଯାଇଥିଲେ
ବୟସୋତ୍ତୀର୍ଣ୍ଣ କ୍ଲାନ୍ତ ଯେତେକ
ଠେଲିବାକୁ ପଡୁଥିଲା ପଛରୁ,
ରାତିକୁ ଡରେଇବାକୁ
ବାଦୁଡି ହୋଇ ଲାଖିଥିଲେ କିଛି
ଝୁଲୁଥିଲେ ପିଜୁଳି ଗଛରୁ,
କାନ୍ଥର ଆତ୍ମାରେ
ଟାଣପଣ ଜାହିର୍ କରୁଥିଲେ ଅନେକ
ଟେବୁଲ୍ ର ସମସ୍ତ ସାଜସଜ୍ଜା ହଲଉଥିଲେ
ସହିପାରୁନଥିବା ପବନରେ,
କେତେକ ମେଘର
ଅଦିନ ସୁଆଂଗରେ ଭଳିଲେନି,
ଅନ୍ୟମାନେ ଖଣ୍ଡ ଖଣ୍ଡ ହୋଇଗଲେ
ପ୍ରେମର ବିସ୍ଫୋଟନରେ।
ତୃଷ୍ଣା ଜର୍ଜରିତ ଭାବନା ମାନେ
ଗଳ୍ପ କବିତାର ଗହଳିରେ
ଭେଟିଥିଲେ ପରସ୍ପରକୁ,
ନିଜ ନିଜ କଳା କୌଶଳରେ
କିଏ କେତେ ପାରଂଗମ
ଶବ୍ଦଗୁଡ଼ିକ ଭିତରେ ଜିଦ୍ଦିବାଦିରେ
ବାଣ୍ଟି ହୋଇ ଯାଇଥିଲେ।
ମୁଁ ଆବୁଡା ଖାବୁଡା ହୃଦୟକୁ
ଭରୁଥିଲି ଗଦା ଗଦା ସ୍ମୃତି ପାଉଁଶରେ
ମନବଗିଚାର କଣ୍ଚାବାଡରୁ
ବଢିଯାଇଥିବା ଡାଳପତ୍ର
ହାଣିବାରେ ଲାଗିପଡିଥିଲି
ରାସ୍ତା ସଫା କରିବା
ନିହାତି ଜରୁରୀ ଅନୁଭବ ହେଲା
ବେଳ ଅବେଳର ଆଗନ୍ତୁକଂକ
ଚର୍ଚ୍ଚାରେ ଯେପରି ହେଳା ନହୁଏ
ସେମାନଂକର ଆସିବାର ଥିଲା
ଅବଶ୍ୟ ଯେ ଯାହାର ସମୟରେ।
©ରଶ୍ମି ମହାପାତ୍ର