ଏ ସ୍ଥିର ଅବେଳରେ
ହଠାତ୍ ଅସ୍ଥିର ଭିଡର
ଖୋଜା ପଡିଛି
ପ୍ରମାଣ କରିବାକୁ ପଡିବ ଯେ
ମଣିଷ ବଂଚିଛି।
ଏ ପ୍ରତାରଣାର ରାତି
ଅଦୃଶ୍ୟ ଚନ୍ଦ୍ରାଲୋକ
ଏ ସୂର୍ଯ୍ୟାଲୋକର ଗୋଲକଧନ୍ଦା
ଅଧୈର୍ଯ୍ୟ ସ୍ୱପ୍ନର ଅଛିଣ୍ଡା ଅଂକ
ଆଦିମ ଗୁମ୍ଫାରେ
ବୁଢିଆଣି ଜାଲରେ
ଛନ୍ଦିହୋଇପଡିଥିବା
ବିନିଦ୍ର ସମୟ
ସଭିଏଁ ଏକଯୁଟ ଆଜି
ସବୁଥାଇ
କିଛି ନଥିବାପଣର
ଆବଦ୍ଧ ମଇଦାନରେ
ଏକ ଭିନ୍ନ ଋତୁରେ।
ବିଚ୍ଛିନ୍ନ ଦ୍ୱୀପର
ନିସ୍ତବ୍ଧ ଇଲାକାରେ
ଏକ ଆଶ୍ରୟ ଗଢୁଛନ୍ତି
ଏକାନ୍ତତାର ସମସ୍ତ ସରାଗ
ଆକାଶର ହଜିଲା ରଂଗ
ଫୁଲବଣ ଖୋଜୁଥିବା ମହୁମାଛି
ନିଖୋଜ ମଣିଷମାନେ ଏବଂ
ଅଲୋଡା ଈଶ୍ୱର,
ଯାହା ଶୀଘ୍ର ଏକ ମଧୁର ସ୍ମୃତି
ହେବାକୁ ଯାଉଛି
ଜଣେ ଜଣେ ଦକ୍ଷ ଚିତ୍ରକାର
ଆଂକିବାରେ ବ୍ୟସ୍ତ
ବୋତଲ ଭିତରେ ଥିବା
ଜୀବନ ନାଟିକାର ଚିତ୍ର।
ଜୀଇବାକୁ ଆସିଥିବା
ଅସଂଖ୍ୟ ଚରିତ୍ରଂକ ପ୍ରଦର୍ଶନୀ
ନୀଳ ନିକାଂଚନର
ବାସିନ୍ଦାମାନଂକ
ମୋହିନୀ ମନ୍ତ୍ର ଉଚ୍ଚାରଣ
କିଛି କୌଶଳ
କିଛି ଜଟିଳ
କିଛି ଶକ୍ତ
କିଛି ମଖମଲି ହତିଆର ତିଆରି
ଜନ୍ମାନ୍ତରର ବିବରଣୀ
କିଛି ବାସ୍ତବ କିଛି ମନଗଢା କଥାର
ଅସମ୍ଭବ ଉପାଖ୍ୟାନ
ଅପରିହାର୍ଯ୍ୟ ପ୍ରତିଫଳନ
ଅଧାଗଢା ଶବ୍ଦ ଓ
ବାକ୍ୟାଂଶକୁ ନେଇ ଆରମ୍ଭ ହୋଇଛି
ସାରିବାକୁ
ବ୍ରହ୍ମାଣ୍ଡର ଆତ୍ମକାହାଣୀ।
ଇତିହାସ କଡଲେଉଟାଇଲେ
ପ୍ରଥମେ ଶୁଣିବ
ମନ୍ଦିରରେ ବନ୍ଦୀ ଖଣ୍ଡିଆ ଠାକୁର
ସେପଟେ ଖୋଳପା ଫଟେଇ
ଜୀଅନ୍ତା ମଣିଷ ଫୁର୍ର ଉଡିପାରେ
ଶୂନ୍ୟ ପାତ୍ର ହେଇପାରେ ପୂର୍ଣ୍ଣକୁମ୍ଭ
ସମୟ ଚକରେ ଶିଉଳି ଜମେନି।
© ® Rashmi Mohapatra