ପ୍ରତ୍ୟାଗମନ

ମୁଁ ଝୁଲନ୍ତା ସ୍ଥିତିରେ

ଚକ୍ରବ୍ୟୁହର ଭିତିରି କମ୍ପନରେ

ଯାହାର ଅର୍ଥ ହୋଇପାରେ ଜୀବନ

ହୋଇପାରେ ମୃତ୍ୟୁ

ମୁଁ ଏକପ୍ରକାର

କଳ୍ପନାତ୍ମକ ପଳାୟନ ପାଇଁ ପ୍ରସ୍ତୁତ,

ଆୟୋଜନ କରୁଛି 

ଏକ ଅଦୃଶ୍ୟ ଆବରଣ ,

ନିଜ ଦୃଷ୍ଟିର ସୀମିତତାରୁ

ନିଜେ ମୁକ୍ତ ହେବାର ପ୍ରୟାସ

ଏକ ସହଜ ସାନ୍ତ୍ୱନା

ଏକ ବିଭ୍ରାନ୍ତ ଉତ୍ସାହର

ଅଜବ ଆରମ୍ଭ,

ଅନ୍ୟ ଏକ ସ୍ଥାନ

ଅନ୍ୟ ଏକ ସମୟକୁ

ବିସ୍ମୟକର ଯାତ୍ରା|

ହୁଏତ ଭିନ୍ନ ଦୁନିଆର

ଦକ୍ଷ କଳାକାର ମୁଁ

ପ୍ରତି ମୂହୁର୍ତ୍ତର ମାଲିକାନା

ଭଂଗେଇ କିଣୁଥିବି

ଅନ୍ଧାରୁଆ ପାଗରେ ଉଜ୍ଜ୍ୱଳ ନକ୍ଷତ୍ର

ଗୋଟେ ଛଲାଂଗରେ

ପହଁଚିବି ଛାୟାମୟ ପର୍ବତ ଶିଖର

ଏକ ବଡ ଅଗ୍ନିକାଣ୍ଡ ପୂର୍ବରୁ ଘଟୁଥିବ

ଘମାଘୋଟ ବର୍ଷା

କର୍ମ ଅକର୍ମର ମୁଁ ଥିବି ଏକମାତ୍ର କର୍ତ୍ତା|

ହୁଏତ ଅବଶିଷ୍ଟ ପୃଥିବୀରେ

ଘେରିଯିବେ ସଜାଗ ପ୍ରହରୀ

ଦୃଶ୍ୟମୟ ଅନ୍ଧକାରର

ନିଷ୍ଠୁରତମ ପ୍ରତିକୃତି

ବିଷାଦ କୋଠରୀରେ

ଦୁର୍ଦ୍ଦଶାର ଅଟ୍ଟହାସ୍ୟ

ଆକଂକ୍ଷାର ଅସହାୟପଣ

ବ୍ୟାକୁଳତାର

ବିଷାକ୍ତ ଉଚ୍ଚାରଣ

ମୋ ସମ୍ମୁଖରେ ଏକମାତ୍ର ରାସ୍ତା |

ଅବିଶ୍ୱସ୍ତ ଆୟୁଷକୁ କହିଦିଅ

ଅପେକ୍ଷା କରୁ

ଛଂଚାଣ ପଂଝାରୁ ଖସିପଡିଥିବା

ବାଟହୁଡା ଜୀବନକୁ

ପହଁଚେଇ ଦିଏ ତା’ ଉନ୍ମୁକ୍ତ ବସାରେ

ବାହୁଡିବି ଅକ୍ଷତ ଅଭିଜ୍ଞ

ମୋ ମୃତ୍ୟୁମୟ ସବୁଜପ୍ରାନ୍ତକୁ

ଅଦ୍ଭୂତ ବର୍ତ୍ତମାନର

ଅନ୍ତରତମ ଗହ୍ୱରକୁ

ଅନନ୍ତ ଶୟନକୁ|

© ® Rashmi Mohapatra

Leave a comment

Design a site like this with WordPress.com
Get started