ପାଣି ଧାର ଛୁଇଁବାକୁ
ଆଉ ପାଦେ ବଢିବା ପୂର୍ବରୁ
ମୋତେ କେହି ଶରବିଦ୍ଧ କରେ ଯଦି
ମୁଁ କାହାକୁ ବା ଶାପ ଦେବି
ସମସ୍ତେ ତ ପ୍ରିୟତମ
ବୈଶାଖ ବି ଫାଲ୍ଗୁନ ବି
କ୍ଷଣସ୍ଥାୟୀ ସନ୍ଧ୍ୟା ଓ ପାହାନ୍ତି ବି।
ଏତେଶୀଘ୍ର ଫେର ନାହିଁ
ଯଜ୍ଞ ବେଦୀ କାମ ସରିନାହିଁ
ବାକି ଅଛି ମନ୍ତ୍ର ଉଚ୍ଚାରଣ
ପୁଣ୍ୟ ବିତରଣ
ଦିନର କପଟ ପଶା
ରାତିର ସଦ୍ଭାବ
ଭୟର ମୋହିନୀ ରୂପ
ସମୟର ଅନାବରଣ।
ମୋ ନିକାଂଚନ ପଦ୍ମବଣରେ
ଅନ୍ୟଗତି ହଠାତ୍ ନିଶ୍ଚଳ
ସୃଷ୍ଟି ନିର୍ବାକ
ଝଡ ବି ନିରବ
ମୁଁ ସାରୁଛି ବିନିଦ୍ର ଜୀବନ
ମାଲୁଣୀର କିମିଆ ଫାଶରେ
କେବେ ଛେଳି ମେଣ୍ଢା କେବେ
ଉନ୍ମତ୍ତ ପ୍ରେମର କଉଡି ଖେଳରେ।
ବାକିଥିବା ସ୍ୱପ୍ନରେ
ମୁଁ ଅପେକ୍ଷା କରିଛି
ମାଦଳା ପାଂଜିରେ ଲେଖିବ କିଏସେ
ରୁଦ୍ଧ ଦ୍ୱାର ଖୋଲିବା ତାରିଖ,
କିଏସେ ଭୋଗିବ
ଯନ୍ତ୍ରଣାର ଲୋହିତ ସୂର୍ଯ୍ୟାସ୍ତ,
କିଏ ପାରିହେବ ନିର୍ଦ୍ୱନ୍ଦରେ
ଦିଗ୍ବଳୟ ପଛର ଅନ୍ଧାର,
କେଉଁ ଦିଗରୁ ଶୁଭିବ
ବିଜୟର ଶଂଖନାଦ,
ଏବଂ କିଏସେ ମଣ୍ଡିବ
ଶୂନ୍ୟ ସିଂହାସନ!
© Rashmi Mohapatra