ମହା ଶକ୍ତିଶାଳୀ ଜୀବ ମଣିଷ ମୁଁ
ଧନୁର୍ଦ୍ଧର ଗତକାଲିଯାଏଁ
ଆକାଶକୁ ପୁଳାପୁଳା ବିଦାରିଛି,
ପୃଥିବୀଠୁ କୁଢ କୁଢ ତାଡିଛି ତା’ ରକ୍ତ ମାଂସ
ହାଣି କାଟି ମାରିଛି ସାରିଛି,
ଆଜି ମୋର କି ଦଶା
ନତମସ୍ତକ ଏକ ଭୂତାଣୁ ଆଗରେ
ତିଳ ତିଳ ଜଳୁଛି ସରୁଛି
ହାତଯୋଡି ପରାସ୍ତ ମାନୁଛି|
ଧରାକୁ ମଣିଲି ସରା
କବ୍ଜାରେ ରଖିଲି ମୁକ୍ତ ଜନ୍ତୁ-ପକ୍ଷୀ ପ୍ରାଣ
କାଟିଲି ଗଛର ଛାଇ
ଅଖାଦ୍ୟ ଭକ୍ଷିଲି
ଗର୍ବ ଅହଂକାର ରଥ ଗଡାଇଲି
ବିଜେତାର ଡିଣ୍ଡିମ ବଜାଇ,
ଏଡେ ଶୀଘ୍ର ଦର୍ପ ମୋର ଚୂର୍ଣ୍ଣ କଲା
ସାମାନ୍ୟ ଭୂତାଣୁ
କବଳରେ ନେଲା ମୋତେ
ଯନ୍ତାରେ ରଖିଲା
ସଖା ସହୋଦର ପ୍ରିୟ କେହି ଛୁଏଁ ନାହିଁ
ଆଜି ବନ୍ଦୀ ମୋ କୃତ କାରାଗାରେ
ଚାରିପଟେ ଆତଂକ ଓ ଭୟ ଗଡଖାଇ|
ଅରମାନି, ଗୁଚି, ରେସ୍ କୋର୍ସ୍ ର ଖେଳାଳୀ
ବ୍ରାଣ୍ଡ୍ ଅବା ଚିରା ଲୁଗା ଚେପା କେଉଁ ଥାଳି
ପାଁଚତାରା ବଂଗଳା ବା କୁଡିଆ କା’ ଘର
ଧନୀ ମାନୀ ନିର୍ଦ୍ଧନ ଆଜି ସବୁ ଏକାକାର
ଆକାଶେ ଉଡାଣ ଭୁଲେ
ମାଟିର ମଣିଷ ଆଜି ମାଟି ତା ନିଜର ।
କେତେ ଯୁଦ୍ଧ, କେତେ ତର୍କ
କେତେ ବାଦ ବିସମ୍ବାଦ
ଏକ ବିଭାଜିତ ଦୁନିଆର
କେତେ ଭେଦାଭେଦ,
ଧର୍ମ ରଂଗ ଜାତି ଦେଶ ଭାଷା
କରୋନାର ଦରବାରେ
ସଭିଏଁ ଏକତ୍ର ଆଜି
ସଭିଂକର ଜିଇବାର ପ୍ରଚଣ୍ଡ ଲାଳସା|
ପ୍ରକୃତି କାନ୍ଦିଛି ଆମେତ ଶୁଣିନେ
ଭୁଲ କରି ସଂଶୋଧନ ଉଚିତ ମଣିନେ
ପ୍ରକୃତିର ଶକ୍ତି ଆଗେ ମଣିଷ ନଗଣ୍ୟ
ଭୂତାଣୁ କରୋନା ତା’ର କ୍ଷୁଦ୍ର ନିଦର୍ଶନ|
ବନ୍ୟା ବାତ୍ୟା ଅନାବୃଷ୍ଟି ଅବା ମହାମାରୀ
ପ୍ରକୃତିର ବ୍ରହ୍ମାସ୍ତ୍ରଠୁ କିଏ ବା ବର୍ତ୍ତିଛି
କରୋନା ପଠେଇ
ଏକାଠି କରିଛି ଆଜି ସେ ବିଶ୍ୱ ନିୟନ୍ତା,
ପଣ ବି କରିଛେ ହାତ ଧୋଇ କରୋନା ତଡିବା
ମନ ଧୋଇ ମାନ ତେଜି ଏକାଠି ଚଳନ୍ତେ ଯଦି କେମିତି ହୁଅନ୍ତା!
© Rashmi Mohapatra