ଶୁଣାଯାଉଛି ଆକୁଳ ଚିତ୍କାର
ତୁମ ନିର୍ଜୀବ ଦେଶରେ
କିଏ ବୋଧହୁଏ ଖୋଦୁଛି ପଥରରୁ
ଆଖି କାନ ଓଠ,
ଶୀରା ଓ ଧମନୀ,
ଧ୍ୱନି କେଉଁଠୁ ଉତ୍ପନ୍ନ ହେଉଛି
ଜଗତ ତ ନିଘୋଡ ନିଦରେ
ବହୁଦିନତଳୁ ତାଲା ପଡିଛି
ସମ୍ପର୍କ ସେତୁରେ
ତୁମ ବେଢାରେ
ଅନେକ ରକମର କାର୍ଯ୍ୟକ୍ରମ
ଭୋକମାନେ ଖୁମ୍ପୁଛନ୍ତି ଚଟ୍ଚାଣ
ଦୀପମାନେ ଜାଳୁଛନ୍ତି ଦୁଃଖ,
ଘିଅ ବତୀ କଥାବାର୍ତ୍ତା ହେଉଛନ୍ତି
କିଏ କଣ ମନାସିଛି,
ଦଶ ଦିଗରେ ଘୁମୁରୁଛନ୍ତି
ଅଭାବର ଭାବ,
ଏବଂ ଯନ୍ତ୍ରଣା ବିଭୋର
ପତିତପାବନ ବାନା ଚିରୁଛି
ନିଜକୁ ପବନ ଖଣ୍ଡାରେ
ତୁମ ସାମ୍ରାଜ୍ୟରେ
ବୁଲାକୁକୁରମାନେ
ଅଳିଆ ଗଦା ରାମ୍ପୁଛନ୍ତି
ଫୁଲ ଫୁଟୁନି ମହୁମାଛି ପାଇଁ,
ଅଲେଖା କାଗଜ ତା’ ଛାତିରେ
କିଛି ବିବଶତା ଗାରଉଛି,
ଚିହ୍ନଉଛି ଅସଂପୂର୍ଣ୍ଣ ଭୃଣକୁ
ସୀତା
ଦ୍ରୌପଦୀ
ଅହଲ୍ୟା ମାନଂକୁ
ପେନ୍ କୁ ମାଡିଲେ ଚାଲୁଛି
ଅସମର୍ଥ ନିବ୍ ଅଟକିଯାଉଛି
ନିଷ୍ପତ୍ତିରେ
ହସ୍ତାକ୍ଷର ଦେବାବେଳେ,
ବଂକା ଚାଲୁଛି ନ୍ୟାୟର ଗଳିରେ
ଆଲୁଅ ଅପେକ୍ଷାରେ ଶ୍ୱାସରୁଦ୍ଧ
ଅନ୍ଧାରର ଖୁଣ୍ଟରେ ଚଢୁଥିବା
ମଣିଷ ଆକୃତିର ଜୀବ ଏବଂ
ତା’ ନିଶ୍ଚିହ୍ନ ହୋଇଆସୁଥିବା ଛାଇ,
ରାତି ଆକାଶର ଲମ୍ବା ଓସାର
ମାପୁଛି ବାଚହୁଡା ପକ୍ଷୀ
ପ୍ରଳୟ ପୟୋଧିରେ ବିସର୍ଜିତା ପୃଥିବୀ
ନିଃଶ୍ୱାସୁଛି ଓଁକାର
ପ୍ରତିବାଦର ଦିନ ଲମ୍ବାଧାଡିରେ
ଆଗେଇ ଆସୁଛନ୍ତି
ତୁମ ନିସ୍ପନ୍ଦ ପ୍ରାସାଦଆଡେ।
© Rashmi Mohapatra