ମୁଁ ଶୋଇଥିଲା ବେଳେ
ଫୁଲ ପାଖୁଡା ମେଲାଏ
ପାଚିଲା ପତ୍ର ଓ ଫଳ ଝଡେ
ଈଶ୍ୱର ନିରେଖୁଥା’ନ୍ତି
ମର୍ତ୍ତ୍ୟ ସ୍ୱର୍ଗ ପାତାଳର ହାଲ୍ ଚାଲ୍
କୋଠରୀ ଭିତରେ ବାହାରେ
ଅନ୍ଧାରକୁ ତଡୁଥାଏ ଆଲୁଅ
ଆଲୁଅକୁ ଅନ୍ଧାର
ରାଜା ଗାଦି ଛାଡେ
ମୁକୁଟ ଖୋଜୁଥାଏ ମଥା
ଅମାବାସ୍ୟା ଜହ୍ନ ଆଲୁଅରେ
ନଈପଠାରେ ଲମ୍ବା ଭୂତ ହାବୁଡରେ
ଅନେକେ ପଡନ୍ତି
ବୁଦା ମୁଳରୁ ଖସ୍ ଖସ୍ ଶବ୍ଦ
ସାପ କାତି ଛାଡୁଥାଏ
ନିରାପଦ କାନ୍ଥ ସନ୍ଧିରେ
ସମ୍ବାଳୁଆ ଘର ତିଆରୁଥାଏ
ମୁଁ ନିଦରେ କଡଲେଉଟାଉଥିବା ବେଳେ
ଦୁର୍ଘଟଣା ଘଟେ ଗେଟ୍ ଆଗରେ
ଆରମ୍ଭରୁ ଶେଷ ମଝିରେ ଥିବା
ବ୍ୟବଧାନ ଅତିକ୍ରମ କରୁଥିବା ସମୟରେ
ଖୁଣ୍ଟରୁ ଝିଟିପିଟି ଖସେ
ଅଧାରୁ ଅଧିକ ଅକ୍ଷର ହରାଇଥିବା
ମୋ ନାଁ ଫଳକର ଠିକ୍ ଉପରେ
ଗଳି ପଡନ୍ତି
ଶେଷ କେତୋଟି ଅକ୍ଷର
ତା’ପରେ ନାହିଁ ନ ଥିବା ଧାଁ ଦଉଡ
ଅର୍ଦ୍ଧମୃତ ଅକ୍ଷର ମାନଂକର
ବଂଚିବାର ଅପରିଚିତ ରାସ୍ତାରେ,
ଝିଟିପିଟି ଫେରାର୍
ଦୁର୍ଘଟଣାର ରହସ୍ୟମୟ କାରଣ ମାନେ
ଅବଶ୍ୟ ଉଇ ମଶା ଇତ୍ୟାଦି
ସେଇଠି କେଉଁଠି ଲୁଚିଥା’ନ୍ତି
ଧରାପଡିଯିବାକୁ କିଏ ନ ଡରେ?
ଦୁର୍ଘଟଣା ପରେ ରାସ୍ତା ଫାଳ ଫାଳ
ଭୂଇଁତଳ ସୁଡଂଗ ଖେଲାମେଲା
ନିର୍ମମ ଗୋପନୀୟତାର ନଗ୍ନ ଆବିର୍ଭାବ
ଚଳତ୍ ଶକ୍ତି ହଠାତ୍ ଗାଏବ କିଛି ସାମର୍ଥ୍ୟଂକର
ଉପର ମୁଣ୍ଡରେ ବର୍ଷା ଲଗାତାର
ଖବରରେ ବଢି
ଘର ବୁଡି ପାଣି ଅଣ୍ଟେ
କବାଟ ବାଡାନ୍ତି ଅଦେଖା ସ୍ୱପ୍ନର ଚରିତ୍ରମାନେ
ଆଖି ମଳି ଉଠିପଡେ ମୋ ଛାଇ
ନିଦରେ ଚାଲୁଥାଏ କୋଶ କୋଶ ବାଟ ଅବାଟ ଭାଂଗୁନଥିବା ନିଦରେ ଦୃଶ୍ୟମାନେ ଝାପ୍ସା
ଖାପଛଡା
ସ୍ମାରକ ବିରୂପ
ଅତୀତର ଚିହ୍ନ ନିଶ୍ଚିହ୍ନ ହେବାରେ
ଅବା କେତେ କ୍ଷଣ!
ଜନ୍ମ ଠାରୁ ମୃତ୍ୟୁ
ମଝି ବାଟସାରା କେବଳ ଦୁର୍ଘଟଣାର ବିକଟ ଶବ୍ଦ
ଅଣାୟତ୍ତ ସମୟର ଘର୍ଘର ରାବ
ତେବେ ବି ମୋ ନିଘୋଡ ନିଦ ଭାଂଗେନି।
———-
Copyright@Rashmi Mohapatra