ଅକ୍ଷରଂକ ଖେଳ

ଦ୍ୱାର ଧୀରେ ଖୋଲେ

ମୁଠେ କଅଁଳ ଅକ୍ଷରଂକ କରାଘାତରେ

ଆରପଟେ ଅପେକ୍ଷା କରିବାକୁ ହୁଏ

ଖୋଲିବା ପୂର୍ବରୁ ସେମାନେ ଫେରିଗଲେ

ଅଗଢା ରହିଯାଏ ଶବ୍ଦ

ବାକ୍ୟ

ମୁଖବନ୍ଧ ବି ଅସମାପ୍ତ,

ଶବ୍ଦଂକ ପଘାରେ

ଚପାକଷ ବାନ୍ଧିବାକୁ ପଡେ

ଅକ୍ଷରଂକ ଯୁ

ନଚେତ ପୃଥିବୀ କମ୍ପିବ

ଯେବେ ତିଳେ ହଲିଯିବେ

ପରମାଣୁଠାରୁ ଜବର

ନିରିହ ଅକ୍ଷର,

ଶବ୍ଦଂକୁ ମନେଇ

ଗଢାହୁଏ ଆକାଶ ପବନ

ଅତୀତ ବର୍ତ୍ତମାନ

ଛୁଟେ ଅନ୍ଧାରରୁ ଆଲୁଅର ଧାର

ଗୋଲାପ କଣ୍ଟାରୁ ଅତର

ଅଲିଭା କାଳି ଲେଖନ୍ତି ଥାକ ଥାକ ବହି

ଭରିଯାଏ ସାରା ସହରର କାନ୍ଥ,

ମନୁଆ ମନର ଅଲେଖା ସିଲଟ,

ଜଣାଥାଏ ତା’କୁ

କେତେ ନିରାପଦ ଉଚ୍ଛନ୍ନ ଅକ୍ଷର

ଶବ୍ଦଘର କେତେ ଦୋଳାୟିତ

କେତେକାଳ ପରେ ହୁଏ ବୀଜ ଅଂକୁରିତ

ଉଚ୍ଚାରିତ ଶବ୍ଦ ଯେ ପ୍ରତି ପ୍ରଶ୍ନର ଉତ୍ତର

ଭାବ ନିୟନ୍ତ୍ରକ;

ତେବେ ବି

କଥାରୁ ଲଥା କାଢିବାରେ ବ୍ୟସ୍ତ ଥାଏ

ନିଷ୍କର୍ମା ମଣିଷ

କ୍ଷତାକ୍ତ କରୁଥାଏ

ନିରପେକ୍ଷ ବାକ୍ୟଂକ ଶରୀର

କମା ହାଇଫେନ୍ ଲିଭେଇ

ଖୋଜୁଥାଏ ଅର୍ଥରୁ କଦର୍ଥ,

ପ୍ରହେଳିକାର ସମାଧାନ ପୋଛିଦିଏ

କଳାପଟାର ନିଷ୍କପଟ ଛାତିରୁ

ହାତମୁଠାରେ ବନ୍ଦୀକରେ

ସମସ୍ତ ସୂତ୍ର, କୌଶଳ ଓ ସର୍ତ୍ତ

ସାବ୍ୟସ୍ତ କରିଚାଲେ

ନିରଂକୁଶ ଶାସକ ଏକମାତ୍ର

ସେ ଶବ୍ଦ ବ୍ରହ୍ମାଣ୍ଡର,

ତା’ ଇଂଗିତରେ

ଶୂନ୍ୟ ଶବ୍ଦଘର

ଉଦ୍ଦେଶ୍ୟ ସାଧନ ପରେ

ସେ ନୁହେଁ କାହାର,

ଚଲାଖ ମଣିଷ ଅଲକ୍ଷ୍ୟରେ

ତା’ ଯୋଗ୍ୟ

ଭଳି ଭଳି ବିଶେଷଣ

ଗଢୁଥା’ନ୍ତି ଚତୁର ଅକ୍ଷର!!

Copyright@Rashmi Mohapatra

Leave a comment

Design a site like this with WordPress.com
Get started