ଆଶ୍ୱିନର ବର୍ଷା


ଆଜି ପୁଣି ମେଘ ସରସର
କ୍ଳାନ୍ତ ସକାଳ
ଶାଣଦିଆ ପବନର
ହାଡ ମାଂସ ଟିକ୍ ଟିକ୍ କାଟିପାରୁଥିବା ଧାର
ଆକାଶରେ ରୀତିମତ ଯୁଦ୍ଧର ହୁଂକାର
ଝର୍କା କାଚରେ ପାଣି ବୁନ୍ଦାଂକର ଖେଳ
ଏକ ଆରକୁ ଟପିବାର ଭୟଂକର ଆଳ

ଆଶ୍ୱିନ-ଆଶାର ତୀବ୍ର ବିଡମ୍ବନା
ଶିର୍ ଶିର୍ ଛୁଇଁଦେଇ ନିଗିଡିଯିବାର ବାହାନା
ଆର୍ଦ୍ରତାରୁ କିଛି ଛାଡିଯିବାର କୌଶଳ
ଝରୁ ଝରୁ ନିଃଶେଷ ହେବାର ଚମତ୍କାର ଛଳ
ଖରା ବର୍ଷାର ସାନିଧ୍ୟ ଲୋଡୁଥିବା
ଇନ୍ଦ୍ରଧନୁର ଶୀର୍ଣ୍ଣ ଆୟୁଷ୍କାଳ,

ପାହାଡ ଭାଂଗିପଡିବାର ବିକଟାଳ ଶବ୍ଦ
ଭୂଇଁ ଫାଟିବାର କଟକଟ ଆବାଜ
ବିଦ୍ରୋହ ତମାମ୍ ସହରରେ ବାଟ ଅବାଟରେ
ଶ୍ୱାସକ୍ରିୟାରେ ହୃଦ୍ ଯନ୍ତ୍ରରେ
ଭାବ ଅଭାବରେ

ତଥାପି ବର୍ଷାର ମାୟାରେ
ସଜାଡୁଥାଏ
ଦୁଇ ଫାଳ ଓଠ ମଝିରେ ଧାରେ ହସ
ଦରଆଉଜା ଝର୍କା
ମେଘ ମହଲରୁ ଖସିଆସି
ପାକଳ ଆକାଶର ତାରାମାନେ
ଅନ୍ଧାରକୁ ଅନେଇ ଥାଆନ୍ତି ଜୁଳୁଜୁଳୁ
ଅନେକ କାମନାର ମଲ୍ଲୀଫୁଲ
ବାସ୍ନା ଗୋଟାଉଥାଏ ଗହୀର ପାଟରେ
କାଶତଣ୍ଡୀ ଛମ ଛମ ନାଚୁଥାଏ ବରଷା ତାଳରେ
ଜୟଯାତ୍ରା ଜାରିଥାଏ ଋତୁ ଅଋତୁର!

© ® Rashmi Mohapatra

Leave a comment

Design a site like this with WordPress.com
Get started