ଯଦି ବଳୁଆ ମାଟିରେ
ପୋତା ହୋଇଥିବା ମଂଜି
ପାଣି ପବନ ଖରା
ଯେତେ ଅଜାଡିଲେ ଆଖି ଖୋଲେନି,
ଆଉ ଏକ ଫୁଲ ଫୁଟିବା ଆଗରୁ
ବାଲ୍କୋନିର କୁଣ୍ଡ ବିଦ୍ରୋହ କରେ….
ପ୍ରଶ୍ନ ପରେ ପ୍ରଶ୍ନ କରି
ସମୟ ଥକେନି,
ଅସ୍ଥିର ପବନ ,
ପାଣି ,ନିଆଁ , ଆକାଶ ଏବଂ
ଅନିୟନ୍ତ୍ରିତ ସମୟର କୋଳରେ
ଆଶ୍ରୟ ଲୋଡିବା
କେତେ ଯଥାର୍ଥ
ଜୀବନ ଖୋଜୁଥାଏ ଉତ୍ତର,
ଫିକା ଆକାଶରେ ଦି’ଟା ଗୁଡି ଟଣାଟଣି
ଜଣେ କଟିଲେ ଆରକ ଉଡିବ
ବାଜରାର ଶେଷ ଦାନାଟି ପାଇଁ
ଦୁଇ ଘରଚଟିଆଂକ ଅସମ୍ଭାଳ ଭିଡାଭିଡି
ଆସନ୍ତା କାଲିର କୋଟା ଆଜି କେମିତି ମିଳିବ,
ପ୍ରଶ୍ନ ଓ ଉତ୍ତରଂକ ଜଂଜାଳରେ
ପୁଣି ଆସେ ସଂଜବେଳ
ତା’ ସବୁଦିନିଆ ଉଦାସ ମେକ୍ ଅପ୍ ରେ,
ବିଶେଷ କିଛି ବଦଳି ନଥାଏ
ମୋ ନିକଟରେ
ଏମିତି କିଛି ମଞ୍ଜୁର ହୋଇଥିବା
ବରଦାନ ନାହିଁ ଯେ ହରାଇବା ପରେ
ପରିଚୟ ବିହୀନ
ଧୂସର ହୋଇଯାଇପାରେ ମୁଁ!
ରାସ୍ତା ଚାଲିଛି ତା’ ବାଟରେ
ମୁଁ ଯାହା ଅଟକି ଯାଇଛି
ନିଜକୁ ବୁଝେଇ ନୟାନ୍ତ
ଯାହା ଘଟିଁଛି ଭଲ
ଯାହା ନ ଘଟିଛି ତା ବି ଭଲ
ମାନିଲେ ତ ମନୁଆ ମନ
ଯେ ଖାଲି ପାଦରେ ବାଟ ଚାଲିଲେ
କଣ୍ଟା ପଶେ,
ଯିଏ ଅନ୍ଧାରଠାରୁ ଡରେ
ମଧ୍ୟରାତ୍ରିରେ ଗୋଲାପ ସନ୍ଧାନରେ
ଅଣ୍ଚାଭିଡିବ କେମିତି?
ବରଂ
ରଫ୍ ଖାତାର ଛାତିରେ
ଛକ ଶୂନ ଖେଳି ଖେଳି
ଓସ୍ତାଦ ଖେଳାଳୀ ହେବା ମୋ ପକ୍ଷରେ
କିଛି ଅପ୍ରାସଂଗିକ ନୁହେଁ,
ମଣିଷ ବେଶରେ
କ’ଣ ମୁଁ ସତରେ ମଣିଷ?
———————
© ® Rashmi Mohapatra