ତୁମେ କେଉଁ ପାହାଚରେ?
ମୁଁ ତ ପହଁଚୁଛି ପ୍ରାୟ
ଅଟକି ନଥିବା ବୟସର
ଏଡେ ଆୟୋଜନ
ବେଂଚ୍ ପକେଇ ସାରିଛି ଧୂଷର ଅତୀତ
ଧୂଳି ପୋଛିଦେବ ଚଇତି ବାଆ
ବର୍ଷା ଟେକି ଧରିବ ଛତା
ଖରା ମଧ୍ୟ ରାଜି ସମ୍ଭାଳିବ ତାତି
ଅକୁହା କଥା ଗଳା ସଫା କରୁଥିବେ
ମୋର କିଛି ନାଟକୀୟ ଶବ୍ଦ ଲୋଡା
ବାସ୍ତବତାଠାରୁ ଦୂରକୁ ନେଇଯାଉଥିବ
ପରିବର୍ତ୍ତିତ ସମୟର ପ୍ରତିଶ୍ରୁତି ଦେଇପାରୁଥିବ
ମୋ ଅନ୍ଧାରପଣକୁ ଲୁଚାଇ ପାରୁଥିବ
ଧାର୍ ମାଗୁଛି
ଆଣୁଛ ତ!
ସୁଧ ମୂଳ ପରିଶୋଧ କରିଦେବି
କଥା ଲଥା ସରିବନି
ଓଠର ସିଲେଇ ଫିଟିଯାଇଛି
ଲୁହ ଝରିବନି
ସମୟର ଆଖି ପିଇ ଦେଇଛି
ହାତଲେଖା ଚିଠିତକ ଉଡିପାରିବନି
ଆକାଶ ଛାତିରେ ଲାଖି ରହିଛି
ସେଇ ଆଦିମ ଛତା ତଳେ ବସିବା
ୟା ପରେ କେଉଁଠି ଭେଟିବା
ସରଳରେଖାରେ ନା ବୃତ୍ତର ପରିଧୀରେ
ନା ତ୍ରିଭୂଜ କୋଣରେ
ଆମେ କ’ଣ ଲେଖିପାରିବା
ଛତାର ଆତ୍ମକାହାଣୀ
ଛତାର ସହସ୍ର କଣା
ଭଂଗା ବେଣ୍ଟ ବିଷୟରେ
ସବିସ୍ତୃତ,
ଶୁଖିଲା କାଳି ଦୁଆତ
ଭଂଗା ନିବ୍ ର ସହଯୋଗରେ?
ମୁଁ ଚଷମା ସମ୍ଭାଳୁଥିବି
ତୁମେ ହାତ ଘଡିକୁ ବାରମ୍ବାର ଦେଖୁଥିବ
ଆଜି ଆମେ କେତେ ଅଲଗା ପରସ୍ପରଠାରୁ
ପୁଣି କେତେ ଏକାପରି
ଆଜି ଆମେ ଦୁହେଁ ଯିବାକୁ ତତ୍ପର,
ତୁମେ ପୁଅକୁ ସ୍କୁଲରୁ ଆଣିବ
ମୋର ଅଫିସ୍ ରେ ମିଟିଂ|
© ® Rashmi Mohapatra