ଏ ପୃଥିବୀର ମଣିଷ ଅନେକାଂଶରେ
ରଫ୍ ଖାତାର
ଉଦ୍ଦେଶ୍ୟ ନଥିବା ଅକ୍ଷର
ଅକ୍ଷରମାନେ କ’ଣ କି ଆଉ!
ଗୋଟେ ଗୋଟେ ରେଖା
ସରଳ ଏବଂ ବକ୍ର
ନିଷ୍ପାପ ଶିଶୁର ବ୍ଲକ୍ ଖେଳ
ଯୋଡୁ ଯୋଡୁ ଘର ଗଢି ହୋଇଯାଏ
ନତୁବା ଭୁସ୍ ଭାସ୍ ଗଦେଇ ପଡେ।
ରକ୍ତର ଦାଗ ପୋଛି ଦେଇଥିବା
ଟାଂଗରା ଯୁଦ୍ଧ ପଡିଆ
ପଶ୍ଚାତାପର ବାଡ ଘେରାଉଥାଏ ଚାରିକଡେ,
ସମୟର ହାତ
ପୃଥିବୀର ପରିସୀମା ସମ୍ଭାଳିବାରେ ଲାଗିଥାଏ,
ମଣିଷ ନିଜ ଅଲକ୍ଷ୍ୟରେ
ପ୍ରସ୍ତୁତ କରୁଥାଏ ଅନବରତ
ଯୁଦ୍ଧର ଉପକରଣ
ସୂର୍ଯ୍ୟ ଧୀରେ ଧୀରେ ତରଳୁଥାଏ
ସମୁଦ୍ରରେ।
ରାତି ପାହେନି ଗର୍ଭଗୃହରେ,
ଘିଅ ଦୀପ ଜଳୁଥାଏ
ଉଲଗ୍ନ ଶିଖାର ନୃତ୍ୟରେ ଅନ୍ଧାର ନିମଜ୍ଜିତ
ରୁଦ୍ଧ ପବନର ନିଃଶ୍ୱାସ ନିରବ,
ଝଲକେ ଆଲୋକର କ୍ଷୀଣ ସ୍ୱର
ପ୍ରତିଧ୍ୱନିତ କରୁଥାଏ ଶୂନ୍ୟ କୋଠରୀକୁ
ବନ୍ଦ ଦ୍ୱାର ପଛରୁ
ଅପୂର୍ଣ୍ଣ ମାନସିକର ଚିତ୍କାର ଶୁଣାଯାଏ ନାହିଁ ।
ହାତ ଗୋଡ ଛନ୍ଦି ବସିଥିବା ମଣିଷ
ନିଜକୁ ଖୋଲିବାକୁ
ଅନେକ ସମୟ ବିତାଇଦିଏ,
ବଂକାହୋଇ ରହିଯାଏ
ବାତ୍ୟାକ୍ଳିଷ୍ଟ ବତୀଖୁଣ୍ଟ ପରି,
କେବେ ଅଣଚଉତା ଶାଢୀ
ଲୋଚାକୋଚା ପଡିଥାଏ
ପିନ୍ଧି ବି ହୁଏନି।
ମଉଳା ଫୁଲଂକ ରାଜ୍ୟରେ
ସମ୍ଭ୍ରାନ୍ତ ପୃଥିବୀ ପିନ୍ଧେ ଧୂସର ମେଖଳା
ଅବୟସ୍କ ଆକାଶ ଆଖିରେ ପରସ୍ତେ ପରଳ
ରଂଗର ଆୟୁଷ୍କାଳ ସରିଗଲାପରେ
କୁହୁଡି ଖଳାରେ ସଭିଏଁ ଅଚିହ୍ନା
ଅସ୍ପଷ୍ଟ ଅଦୃଶ୍ୟ ।
© ® Rashmi Mohapatra