ଝର୍କା ବନ୍ଦ ଅଛି

ବର୍ଷାର ତେଜ ବଢୁଛି

ପକ୍ଷୀଟି ଥଣ୍ଟରେ କାଚ ଖୁମ୍ପୁଛି,

ଝର୍କା କାଚରୁ

ଆଲୁଅ ଫେରେଇ ଦେଉଛି

ପକ୍ଷୀଟିର ସମସ୍ତ ପ୍ରଚେଷ୍ଟା,

କାଚର ସୂକ୍ଷ୍ମ ଆବରଣ

ମୋ ଗୋପନୀୟତାର ଆସ୍ତରଣ

ମୋ ରହସ୍ୟମୟତାର ଆଚରଣ

ମୁଁ ଅନ୍ଧକାରମୟ

ମୋ ଉପସ୍ଥିତି ତା’ପାଇଁ

ଅଦୃଶ୍ୟତାର ବିକଳ ଚିତ୍ରାଂକନ।

ଘମାଘୋଟ ବର୍ଷାରେ

ବସାକୁ ଫେରିନପାରିବାର

ବିବ୍ରତ ଅନୁଭବ ମୁଁ

ଏବଂ ପକ୍ଷୀଟି ଏକାଠି ଭୋଗୁଛୁ

କାଚ ଝର୍କାର ଏପଟେ ସେପଟେ

ନିଜ ବିରୁଦ୍ଧରେ ନିଜ ପ୍ରତିବିମ୍ବ

ଦ୍ୱନ୍ଦ୍ୱ ଯୁଦ୍ଧର ଆହ୍ୱାନ ଦେଉଛି

ଯେମିତି ସେ ତା’ ନିଜର ଶତ୍ରୁ

ଭୟଂକର ଯୁଦ୍ଧ

କିଏ ଶତ୍ରୁ କିଏ ମିତ୍ର

ଠଉରେଇ ହୁଏନି ସହଜରେ,

ପ୍ରତିଛବି ମାନେ ବେଶ ବଦଳାଇ

ଅଚିହ୍ନା ଲାଗନ୍ତି

ହିସାବ ପଥଚ୍ୟୁତ ହୁଏ

ଅନେକ ସମୟରେ ନିଜେ ନିଜକୁ

ବିନାଶ କରିଚାଲୁ ଆମେ

ଅସ୍ମିତା ପରାଜିତ ହେଉଥାଏ

ନିଜକୁ ଖଣ୍ଡ ଖଣ୍ଡ କଲାବେଳେ

ଚିହ୍ନା ଶତ୍ରୁ ହସୁଥାଏ ।

ଝର୍କା ମୁଁ ଖୋଲିନି

ଠକ୍ ଠକ୍ ଅସହାୟତାର ଶବ୍ଦ

ଆଉ ଶୁଣାଯାଉନି

ବର୍ଷା ଛାଡିଯାଇଛି

ମୃତ ପକ୍ଷୀଟିର ଥଣ୍ଟ

ଝର୍କାକୁ ଏବେବି ଛୁଇଁଚି,

ଝର୍କା ବନ୍ଦ ଅଛି

ମୁଁ ବଂଚିଛି କି ନାହିଁ

ଝର୍କା ଜଣେଇ ପାରୁନି

ମୋତେ ବସାକୁ

ଫେରିବାକୁ ପଡିବ ଯେ!

© ® Rashmi Mohapatra

Leave a comment

Design a site like this with WordPress.com
Get started