ତୋ ଇଚ୍ଛାକୁ ହଲଚଲ ହେବାର ଅନୁମତି ମିଳିନି
ପତ୍ର ଫୁଲ ଡାଳ ଲମ୍ବେଇ ପାରିବୁନାହିଁ
ଛାଇ ଯାଚିପାରିବୁନାହିଁ
ସେମାନେ ଧାରୁଆ କତୁରୀରେ
କାଟିକୁଟି ସଜେଇବେ ତୋ ବଢନ୍ତାପଣ
ତାଂକ ଇଚ୍ଛାମତେ,
ବର୍ଷା ବୋହିଗଲା ବନ୍ୟାରେ
ତୃଷାର୍ତ୍ତ ଫାଟ ମାନଂକର ଶୋଷ ମେଣ୍ଟିଲା ନାହିଁ
ଚିଠିମାନେ ଛଟପଟ
ବଣ୍ଟା ହୋଇ ପାରିଲେନି
ବାର୍ତ୍ତାମାନେ ଅଣନିଶ୍ୱାସୀ
ଅକୁହା କଥାର ତାଲିକା ବଢି ଚାଲିଛି,
ମୃତ୍ୟୁର ତାଜା ଖବର
ସେମାନେ ଶାଗୁଣା ପୋଷୁଛନ୍ତି ଏବେ
ସମସ୍ତେ ଭାଗ ହୋଇଗଲେଣି
ଜିଆମାନେ ବଂଶ ବୃଦ୍ଧିରେ ତତ୍ପର
ବାଘ ଗଣନା ଚାଲିଛି ଆକାଶ ଆଖିରୁ,
ମୋ ପାଇଁ କବର ଖୋଳୁଛି
ଝର୍କା ସେପଟେ ଅଦୃଶ୍ୟ ଶତୃର ଷଡଯନ୍ତ୍ର
ଏପଟେ ହାତ ଧରି ଟାଣୁଛି
ତୋତେ ଫେରିପାଇବାର ବିଶ୍ୱାସ
ତଳୁ ଉପର ଉପରୁ ତଳ ହେଉଥିବା
ସତର୍କ କର୍ମଫଳଂକ ଗତିବିଧି
ବିରୋଧରେ ଦେଶବାସୀ ଧାରଣାରେ
ଶିକାରୀ ଶିକାର ଉଦ୍ଦେଶ୍ୟରେ ଜାଲ ଛନ୍ଦୁଛି
ସଭିଂକ ଗୋଚରରେ,
ଘଟଣା କ୍ରମର କିଛି ମାନେ ନାହିଁ
ଘଟୁ ନ ଘଟୁ , ଗଢିହୋଇଯିବ ଘଟଣା
କେତେ ଚିହ୍ନା ,କେତେ ସ୍ଥାୟୀ,କେତେ ଆପଣାର
ଦେଖିବୁ ଭୋଗିବୁ, ଛିଡା ହୋଇ ଥା’
ପାଣିରୁ ବାମ୍ଫ, ବାମ୍ଫରୁ ବରଫ
ବରଫରୁ ପାଣି
ଏଇ ତ ଜଳଚକ୍ର
ନା ଆଉକିଛି?
——————————-
© ® Rashmi Mohapatra