ଭୟ ଋତୁ


ମାପିପାରିବନି ଆବଦ୍ଧ ମନରେ
ଭୟର ମାତ୍ରା
ପଚାରନି କେତେ ଦୂର
ଭୟଯାତ୍ରା,
ପଶି ଆସନ୍ତି ସେମାନେ ଧୂଳିକଣାରେ
ଯେକୌଣସି ସ୍ଥାନରେ କାଳରେ।

ପ୍ରେମଠାରୁ ବଡ ଦାରୁଣ ଭୟ
କାମନାଠାରୁ ଦୁଃଖମୟ
ମାୟାଠାରୁ ଅନ୍ଧାର
କଳାଠାରୁ ଗାଢ ରଂଗର
ଆକାଶରୁ ଭୂଇଁଯାଏଁ
ଭୂଇଁରୁ ଆକାଶ
କୁଦିପାରୁଥିବା ପାରଂଗମ ଖେଳାଳୀ
ଅଚେତ ଆବେଗକୁ
ଚୁମୁଥିବା ଦୁର୍ଦ୍ଦଷ ପ୍ରେମିକ।

ମଣିଷ ସ୍ନାୟୁରେ ମୁକ୍ତିର ଲୋହିତ ନିର୍ଭୟ
ଆଜି ଭୟାଚ୍ଛନ୍ନ
ମେରୁଦଣ୍ଡର ସଳଖପଣର ଅନିଶ୍ଚିତତା
ସଂସାର ପୃଷ୍ଠାର ପ୍ରିୟ ଶବ୍ଦମାନେ
ନିଶବ୍ଦ କୁହୁଡି ଘେରରେ।

ନିଜର ବଂଚିଲାପଣକୁ ଛୁଇଁବାକୁ ଭୟ
ନୀଳଆକାଶରେ
ଗୁଡିହୋଇ ଉଡିବାରେ ଭୟ
କାହାର ଖୋଲା ଝର୍କାଆଡେ
ଚାହିଁବାକୁ ଭୟ।

ଦଳଦଳ ଭୟ ଘେରିଗଲାବେଳେ
ଦୁଃସାହସ ମାନେ ପିମ୍ପୁଡି,
ମୁହଁରେ ଅଣ୍ଡା ଚିନିଦାନା
ଧାଡି ଧାଡି ଲମ୍ବା ରାସ୍ତା ଦୌଡୁଥା’ନ୍ତି।

ମେଳା ରେ ଭଳି ଭଳି ଭୟ ଖେଳ
ମଣିଷ କଂକାଳରେ
ଭୟ ମାର୍କା ଚମର ମୋଟା ଖୋଳ
ବ୍ରହ୍ମାଣ୍ଡ ଦାଣ୍ଡରେ
ଭୟର ଡେଣ୍ଡୁରା,
ବାଆ ବତାସ ନିଆଁ ପାଣି
ସମସ୍ତେ ପ୍ରସ୍ତୁତ
ପାଛୋଟି ଆଣନ୍ତି ଭୟରଥ।

ଭୟର ପାହାଚ
ରସର ରାସର ପାଲିଂକି ଚଢାଏ
ଫାଶିଖୁଣ୍ଟଆଡେ,
ପ୍ରେମ ପ୍ରଣୟର
ନରମ ଓଠକୁ ଯାଚେ
ମଧୁର ବିଷରେ ଭର୍ତ୍ତି ପିଆଲା।

କଣ୍ଟା ସାଲୁବାଲୁ ସଡକ ସଡକ ଭୟ
ପାଳୁଛି ପୋଷୁଛି,
ଦୁଧସର ଖୁଆଇ
ପଣତରେ ଘୋଡେଇଛି ମଣିଷ
କଅଁଳେଇ ଶୁଆଉଛି
ନିଶାର୍ଦ୍ଧରେ ଭୟର ପୃଥିବୀକୁ
ପାଦତଳୁ ଠେଲିବାର ଯୋଜନାରେ
ବାରମ୍ବାର ଅସଫଳ ହେବାପରେ
ଭୟର ଉତ୍ତରାଧିକାରୀ ଗ୍ରହଟିଏ ଖୋଜୁଛି।
———————

© ® Rashmi Mohapatra

Leave a comment

Design a site like this with WordPress.com
Get started