ସମୁଦ୍ରକୁ ଚାହିଁଥିବା ଝର୍କା, ତୃଷାର୍ତ୍ତ କପୋତ ଓ ସିମେଣ୍ଟ ସଡକ

ଭୋକ କେବେଠାରୁ ହଜମ ସରିଛି

ଶୋଷତକ ବାକିଥିଲା

ନଈକୁ ଦେଇଦେଲି

ଆଉ କିଛି ରଖିନି ମୋ ପାଖରେ

ବୋଝ ଉତ୍ତାରି ଦେଇଛି

ଓଜନ ମୁଣ୍ଡେଇ ଚାଲିବ କିଏ ହୋ

କୁଆଡେ ଯିବି ଏବଂ

ଯାଉ ଯାଉ କେଉଁଠି ଯେ ଅଟକି ନ ଯିବି

କହି ହେଉନି।

ଠିକ୍ ଠାକ୍ କେତେ ଦୂର ଚାଲୁଥିବ ଚାଲୁ

ସରଳ ରେଖା ଆଂକି ଶିଖିନଥିବା କିମ୍ବା

ଢଂଗରେ ଠ ବୁଲେଇ ପାରୁନଥିବା କଲମ

ପୃଷ୍ଠା ପୃଷ୍ଠା ଶବ୍ଦ ଅଶବ୍ଦ କଷୁଥାଉ

କର୍ତ୍ତା କର୍ମ ଯୋଡି ବାକ୍ୟ ଗଢି ଜାଣିନଥିବା ଉଲ୍ଲାସ

ପୂର୍ଣ୍ଣମୀ ରାତିରେ

ଝରକା ଖୋଲିଦେଲେ ବି

ନିଘୋଡ ଶୋଇପଡେ

ଜହ୍ନଠୁ ଡରେ

ଡରଭୟକୁ କ’ଣ ବିଶ୍ୱାସ କରିହୁଏ

ନା ବିଶ୍ୱାସରେ ବିଷ ଦେଇହୁଏ

ବାଟ ଅଟକେନି।

ଗୋଟାଇବାରେ ଲାଗିପଡିଥିଲି ନିଜକୁ

ସୁଆଦିଆ ଲାଲ ଟହଟହ ଫଳ

ବାଟ ଅବାଟର ଲଂଘା ନଥିଲା

ଗୋଖର କଣ୍ଟା ସଲବଲ

ପାଦଚଲା ରାସ୍ତା ଆସୁଥାଏ ସମ୍ମୁଖରୁ

କିଏ ଜାଣିଥିଲା

ସୁଖସପନ ଜାଣିଥା’ନ୍ତା ହେଲେ

ଧୂଳିଝଡ ଓ ତୋଫାନର ପୂର୍ବାପର ବିବରଣୀ?

ସମୟରେ ଧୂଳି ଲଗେଇ ଦେଉନଥିଲି

ପୋଷାକ ବାଛିବାରେ

ଦିନ ରାତି ମୋ ସହ ମାତିଥିଲେ

ଲମ୍ବା ଚୌଡା ପତିଆରା

ଗୋଡ ଲମ୍ବାଇ ବସିଥିଲେ

ସେପାଖରେ ଛାଇ ଲମ୍ବା ହେଉଥିଲା

ଏବେ ଏକ ଭୟାନକ ସ୍ଥାନରେ

ଛିଡା ହୋଇଛି

ସିମେଣ୍ଟ ସଡକ ପଛେଇଲେଣି

ଘଞ୍ଚ ଜଙ୍ଗଲ ଦେଇ

ଆଗକୁ ଯାଉଛି,

କେଉଁ ଭରସା ରେ?

ଭୋକ, ଶୋଷ, ଲୁହ,

ମାୟା କି ଛଳନା

ଅନ୍ୟ କେହି ଏହି ଅଞ୍ଚଳ ଚାହୁଁଛନ୍ତି

ନିଅନ୍ତୁ,

ତଳେ ପଡିଯାଇଥିବା ନିଶୂଣି

ନା ଠିଆ କରେଇ ପାରୁଛି ଯେ

ସ୍ୱର୍ଗକୁ ଛୁଇଁବି

ଚଢିବାର ଆସ୍ପର୍ଦ୍ଧା କରିବି?

ସାପ ସିଢି ଖେଳୁଖେଳୁ

ଖସିପଡିଛି,

ମୁଁ ଏଯାଏଁ ସେଇ ଘରେ ଅଛି

ଫୋନ୍ ବନ୍ଦ କବାଟ ବି

ଆଉ ମେନ୍ ସ୍ୱିଚ୍

ମୁଁ ମୋ ନିଜକୁ ଅନ୍ଧାରରେ ଅଣ୍ଡାଳୁଛି

ଗୋଡ ସଳଖିବି।

© ® Rashmi Mohapatra

Leave a comment

Design a site like this with WordPress.com
Get started