ବ୍ୟସ୍ତ ଚରାଚର

ଲକ୍ଷେ ଇଚ୍ଛା ପୂରିଗଲା ପରେ

ଘିଅଦୀପ ହୁତହୁତ ଜଳୁଥାଏ

ମନ ଓ ଚୈତନ୍ୟ

ଆଗ ପଛ ଚାଲୁଥା’ନ୍ତି ନିର୍ଜନ ବେଢାରେ

କୈବଲ୍ୟ କଣିକା ଖୁଣ୍ଟି ଖାଉଥାଏ

ଦେଉଳିଆ ପାରା।

ବେଳାଭୂମି ଛାଡିଦିଏ କେଇପାଦ ଶୂନ୍ୟସ୍ଥାନ

ପ୍ରତି ବାଲିକଣା ତୋଳିଚାଲନ୍ତି

ଅକୁହା କାହାଣୀର ରାଜା ରାଣୀଂକ

ପ୍ରେମ ସରସର ଉଆସ

ଆଶା ଆଶଂକାର

ବ୍ୟଥା ବେଦନାର

ଉତ୍ତାଳ ଲହଡି ମାଡିଆସେ

ଖିନ୍ ଭିନ୍ ହେଇଯାଏ ଉଆସର ନକ୍ସା

ମିଳେଇଯାଏ ପ୍ରେମର ପାଦଚିହ୍ନ।

ଶୀତସଂଜର ଉହ୍ମେଇ

ନିରପେକ୍ଷ ଉଷ୍ମତା ବାଣ୍ଚୁଥାଏ

ନୀରିହ ପତଂଗ ତା ଝୀନ ଡେଣାରେ

ନିଆଁର ପରିଧୀ ଡେଉଁଥାଏ

ନିଃଶେଷ ହେବାରେ ବିଭୋର

ନିର୍ବାଣର ବନ୍ଦ ଦରଜା

କେବେ କେବେ ଖୋଲିଯାଏ।

ପାରଗ ଈଶ୍ୱର ଜମେଇ ଥା’ନ୍ତି ଆସର

କ୍ଷୀର ସମୁଦ୍ରରେ

ପାରିଜାତ ବଣରେ

ଗୋଟେ ପରେ ଗୋଟେ ପାପ ଘଟୁଥାଏ

ପ୍ରାୟଶ୍ଚିତ ଢୁଳଉଥାଏ

ବୈକୁଣ୍ଠର ଗେଟ୍ ବାହାରେ।

© ® Rashmi Mohapatra

Leave a comment

Design a site like this with WordPress.com
Get started