ଭଂଗାରୁଜା ମଣିଷର କାହାଣୀ
ତା ଆଗରେ ଦଶଟା ଆଁ
ପେଟେ ପେଟେ ଭୋକ
ଜୀବନଟା ସ୍ୱପ୍ନ
ଆଉ ସ୍ୱପ୍ନ ମୃତ୍ୟୁ ସରସର
ଅବିରତ ପାଦଶବ୍ଦର
ବିକଳ୍ପ ଖୋଜୁଥିବା ରାସ୍ତାରେ
ମାଦଳ ଗଡୁଥାଏ
ବର୍ଷ ବର୍ଷ ଜମାକରିଥିବା
ହତାଶାର ଗଣ୍ଠିଲି ମୁଣ୍ଡେଇ
ରାତିଏ ବିଶ୍ୱାସ ବାନ୍ଧୁଥାଏ
ଅନ୍ଧାର ପଣତରେ
ଧରା ପଡେ ଜଳନ୍ତା ଆଖିରେ
ତା’ ଅନ୍ଧକାର ଭୟ
ଆକାଂକ୍ଷା ପ୍ରୟାସ
ମୋଡି ଦିଅନ୍ତି ବେକ
ପଂଜରାରୁ ବାରମ୍ବାର ଖସିପଡୁଥିବା
ପରସ୍ତେ ଫଟା ଚମଡାର ଭାର
କେତେ ସମ୍ଭାଳିବ!
ବିଷ ସିଂଚାହୁଏ
ମୁଣ୍ଡ ନୁଆଁଏ
ଶୁଦ୍ଧ ପୂତ ହୁଏ
ଲୁହରେ ସ୍ୱେଦରେ କାନ୍ଧରେ
ପୃଥିବୀକୁ ଟେକିଥିବା ମଣିଷ|
ଆକାଶରେ ବିସ୍ଫୋରଣ
ଅନ୍ତ ହେବାକୁ ଯାଉଛି ସୂର୍ଯ୍ୟ
କଂଚା ମାଟିର ଫୁଲ
ଅସରାଏ ବର୍ଷାରେ ମିଳେଇ ଯିବ
ସେ ତ ନକଲି ନୁହେଁ
ମିଛ ନୁହେଁ|
ଜୁଆର ଫେରିଗଲା ପରେ
ନିରବ ଲହରୀମାନେ
ଧୋଇପୋଛି ସଜେଇ ଦିଅନ୍ତି ପୁନର୍ବାର
ବେଳାଭୂମିର ବିପର୍ଯ୍ୟସ୍ତ ଅଂଗବାସ
ମଲା କଂକଡା ମୁହଁମାଡି ପଡିଥାଏ
ପଡିଥାଏ ପଟ ପଟ ଚପଲ
ଶୁଖିଯାଇଥିବା ଫୁଲ
କିଛି ଲିଭିନଥିବା ପାଦଚିହ୍ନ|
ଡରିଯାଇଥିବା ଶବ୍ଦମାନେ
ଥରି ଥରି ଲେଖନ୍ତି ତା ପାଇଁ
ଭୋକର ଗପ ଓ କବିତା |
© ® Rashmi Mohapatra