ପଂଜୁରୀ ଭିତର ମଣିଷ ବିଷୟରେ

ଆମ ପ୍ଲାନ୍ ସବୁ ଭଣ୍ଡୁର

ୟା ଭିତରେ

ଆମେ ଭୁଲି ଯାଇଛେ ଯେ

ଆମକୁ ରୋମାଣ୍ଟିକ୍ ଗୀତ ଗାଇ ଆସେ

ଘାସଫୁଲରୁ କଂକି ଧରିଆସେ

ପ୍ରଜାପତି ଡେଣାରେ ଉଡି ଆସେ

ରଂଗେଇ ଆସେ ସନ୍ଧ୍ୟା ଓ ସକାଳ

ଆମ ଭିତରେ ଟଣା ହୋଇ ଥିବା ଖିଏ ସୂତାରେ

ଏ ପର୍ବତରୁ ସେ ପର୍ବତ ଲଂଘି ଆସେ

ନାଚି ଆସେ ମୁନ୍ ୱାକ୍ ର ଷ୍ଟେପ୍ସରେ

ଡିଡିଏଲ୍ଜେ ମାର୍କା ଭଲପାଇ ଆସେ।

ଆମେ ଗୋଟେ ଭୟକୁ କବାଟ କିଳିଛେ

ଏରୁଣ୍ଡିବନ୍ଧ ସେପଟୁ ତାଳିରେ ପିଟୁଛେ

ଦୀପରେ ଜାଳୁଛେ

ଯା ଯା ଗଳା ଫଟେଇ

ଗାଳିରେ ଖେଂଚୁଛେ

ସେ ଅଣାୟତ୍ତ ଶୁଣନ୍ତା ହେଲେ

ଖାତିର କରନ୍ତା ତିଳେ

ଆମ ପରମାଣୁ ବାଣକୁ!

ଚିହ୍ନା ଦିନ ଆପଣାର ରାତି ଭିତରେ

ବ୍ୟବଧାନ ଳେବଳ ବଢି ଚାଲିଛି ଯାହା

ହଜିଗଲା ମଥାମଣି କୋଉଠି କେଜାଣି

ନାଭିରୁ କସ୍ତୁରୀ ବି ଖସିପଡିଲାଣି

ଆମକୁ ତା’ ପରୁଆ ନାହିଁ

ନିଜକୁ କୁଣ୍ଢେଇ

ପେଡି ପୁଟୁଳା ଛାଡି ଧାଉଁଛେ

ଅଣଆଦର କରିଆସୁଥିବା ଜୀଅନ୍ତାପଣ  ପଛରେ,

ଏ ଅଣନିଶ୍ୱାସୀ ସମୟର ଘରେ ନିଜ ପାଇଁ

କିଛି ଖାଲି ଯାଗା ଯୋଗାଡ କରିବାରେ ଲାଗିପଡିଛେ

ଦୀର୍ଘଶ୍ୱାସରେ ନିଃଶ୍ୱାସ ବଂଚେଇ ଚାଲିଛେ

ଦୁଃଖର ତାଲିକା ରେ ଆଇଟମ୍ ଯୋଡି ଚାଲିଛେ।

ଟାଣି ହୋଇ ଯାଉଛେ ଅନିଶ୍ଚିତତାର ଭଉଁରୀ ଆବର୍ତ୍ତରେ

ଚାରିଆଡୁ  ଭୋକ ଶୋଷଂକର ଡାକ ଇ ଶୁଭୁଛି

ନିରନ୍ତର ଚାଲୁଥିବା ନୀରିହ ରାସ୍ତାର

କଅଁଳ ପାଦରୁ ରକ୍ତ ଝରୁଛି

ପୁଣ୍ୟବନ୍ତ ବରଗଛ ଛାଇ କି

ଆଂଜୁଳେ  ମରିଚିକା କେହି ହାତ ବଢଉନି

ଭୟର ଭୟକୁ ଆମର ପରିଚୟପତ୍ର କରିଛେ,

ଯେତେ ସହଜ ଭୟକୁ ଗଳାରେ ଲଟକାଇବା

ସେତେ କଷ୍ଟ ମୃତ୍ୟୁକୁ ଆପଣେଇବା

ଉପପାଦ୍ୟକୁ ପ୍ରମାଣ କରିବାରେ ଲାଗିପଡିଛେ।

ଚାରିକାନ୍ଥର ପରିସୀମା ଭିତରେ

ଆମେ ସାପ ସିଢି ଖେଳୁଛେ କେବଳ।

ଆମେ ଏମିତି ଗୋଟେ ଗୋଟେ

ପ୍ରଳାପ ହେଇ ଯାଇଛେ

ଅବୁଝା ଅସ୍ପଷ୍ଟ କିଛି ଶବ୍ଦ ମାତ୍ର,

ପରିଧୀ ଆଂକିବାକୁ ବିନ୍ଦୁରୁ ପୁଳେ

ଏକାଠି କରୁଛେ ଏଠୁ ସେଠୁ,

ପଶ୍ଚାତାପର ଆଡମ୍ବରରେ

ପ୍ରତାରଣାର ଆୟୋଜନରେ

ସମୟକୁ କି ନିଜକୁ ସାମିଲ କରିପାରୁନେ

ଆମେ ଯାହା ଭୁଲିଯାଇଛେ

ମନେ ପକାଇପାରୁନେ।

ତା’ହେଲେ ଆଜି କାହାକୁ ଶୁଣିବା

ହଠାତ୍ ନେଳିଆ ଦିଶୁଥିବା  ଆକାଶକୁ

ନା କାଚକେନ୍ଦୁ ସରି ପାଣିକୁ

ନା ପଂଜୁରୀ ବାହାରର ପୃଥିବୀକୁ

ନା ନିର୍ଭୟରେ ଘୂରିବୁଲୁଥିବା କୋକୁଆ ଭୟକୁ?

ପ୍ରଶ୍ନପତ୍ର ପେନ୍ସିଲ ଆମ ଆଗରେ ଥୁଆ

ଟିକ୍ ମାରିବାଟା ଯାହା ବାକି ଅଛି।

© ® Rashmi Mohapatra

Leave a comment

Design a site like this with WordPress.com
Get started