ଦେଖିପାରୁଛ
ନୀଳ ରଂଗ ଫେରିପାଇଥିବା
ଆକାଶର ଆନନ୍ଦ
ବାଦାମୀ ବାଦଲଂକ ଚନ୍ଦ୍ରମଲ୍ଲୀ ହସ ,
ସୂର୍ଯ୍ୟର ସୁନାମୁହଁ ଓ
ତା’ର କିୟତ୍ଅଂଶ ଛିଟିକି ପଡିଛି
ଅମାନିଆ ଭାବେ ବଢିଯାଇଥିବା
ଡେଂଗା ଘର ମାନଂକ ଧୂଷର ଦେହରେ,
ଲାଜେଇ ଯାଉଛନ୍ତି
ଫାଳେମେଲା କ୍ଲାନ୍ତ ଝର୍କାମାନେ
ବିଗତ ରାତିର ଫିସ୍ଫିସ୍ ହସର
ସତେଜ ପୁଲକରେ,
ବନ୍ଦ କବାଟରେ ଧକ୍କା ଦେଉଥିବା
ପବନଂକ ବଦମାସିରେ
ଶିହରି ଯାଉଛି ମୋ ଅମାନିଆପଣ
ଧାଁ ଦଉଡ ଭୁଲିସାରିଥିବା ରାସ୍ତା ବି ଡାକୁନି
ଚଗଲାମି କରିବାକୁ ହାତେ କି ଚାଖଣ୍ଡେ,
ମୁଁ ସଜାଡି ହେଇଯାଉଛି କ୍ରମଶଃ
ଏକ ସମୃଦ୍ଧ ବିନ୍ୟାସରେ,
ମୁଁ ଓ ମୋ ନିସଂଗତାର
ଅନ୍ତିମ ଇଚ୍ଛାମାନେ
ଅଚାନକ ବଶୀଭୂତ
ଏ ଫୁଂଗୁଳା ସକାଳର ମହୁଲି ନିଶାରେ,
ମୁଁ ଖୋଲା ପଂଜୁରୀରେ ଆବଦ୍ଧ
ମୋ ସମଗ୍ରତା ବନ୍ଧା
ମୋ ନିର୍ବାକ ନିଷେଧାଜ୍ଞାରେ|
ମୋତେ ଡାକନି ପଛକୁ
ମୁଁ ଫେରିବିନି କଦାଚିତ୍
ଶୁଣିବାକୁ
ଚେତନାର କରୁଣ କ୍ରନ୍ଦନ
ମୋ କୃତ ଅକର୍ମଂକ
ପଶ୍ଚାତାପର ଗୀତ
ନିରାଶାର ସମ୍ମିଳିତ ସ୍ୱର
କିମ୍ବା
ପ୍ରତିଦିନ ଘଟୁଥିବା ପାପଂକ
ଅସ୍ୱୀକାର ଆବେଦନ,
ବଜେଇବାକୁ ଦିଅ ମୋତେ
ମୋ ମୂର୍ଖତାର ଘଣ୍ଟ ମର୍ଦଳ
ଦେଖୁଛ ତ ସବୁଆଡେ
ଅକସ୍ମାତ୍ ଆଲୁଅରେ ବିଭୋର
ମୋ ଅମାବାସ୍ୟା ରାତି,
ଅଜ୍ଞାତ ପକ୍ଷୀଂକ ମେଳା
ସଜବାଜ ଘାସଫୁଲ କଂକି ମହୁମାଛି,
ଧୁଆ ପୋଛା ବାଆ ପାଣି
ମୋ ପୃଥିବୀ ତମାମ୍ ଆଜି
ପ୍ରେମର ସ୍ୱାଗତ ରୋଷଣୀ,
ଦେଖ ଦେଖ
ଏଇ ସକାଳ କାନ୍ଧରେ
ମୋ ଭୂଗୋଳ ଓ ଇତିହାସ
ପୁଣିଥରେ ଗଢୁଛନ୍ତି କେମିତି
ଭଂଗା ସ୍ୱପ୍ନଂକ ଗଦାରୁ
ମୋ ଚୂଡାନ୍ତ ଉଆସ।
© Rashmi Mohapatra